ଲାଲଗ୍ରହରୁ ଆସିଲା ଭସା ମେଘର ଦୃଶ୍ୟ । ରାତିରେ ବି ଚମକୁଛି ଲାଲ ଗ୍ରହର ମେଘ । ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

647

କନକ ବ୍ୟୁରୋ: ଲାଲଗ୍ରହରୁ ଆସିଲା ଭସା ମେଘର ଭିଡିଓ । ପୃଥିବୀ ଭଳି ମଙ୍ଗଳଗ୍ରହରେ ଭାସୁଛି ମେଘ । ମଙ୍ଗଳଗ୍ରହରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମେଘ ଭାସୁଥିବାର ଦେଖିବାକୁ ମିଳୁଛି । ତେବେ ଏହା ଫେକ ଭିଡିଓ ନୁହେଁ ବରଂ ଆମେରିକାର ମହାକାଶ ଗବେଷଣା ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଫଟୋର ଭିଡିଓ ।

କେମିତି ପ୍ରସ୍ତୁତ ହେଲା ମଙ୍ଗଳ ଗ୍ରହର ଭିଡିଓ? 

୨୦୧୨ ମସିହାରେ ମଙ୍ଗଳଗ୍ରହକୁ ନାସା ପଠାଇଥିବା କ୍ୟୁରୋସିଟି ରୋଭର ନେଭିଗେସନ କ୍ୟାମେରାରେ ଉଠାଇଥିବା ଅଲଗା ଅଲଗା ୮ଟି ଦୃଶ୍ୟରୁ ଏହି ଭିଡିଓ ପ୍ରସ୍ତୁତ ହୋଇଛି । ଯାହାକୁ ଟୁଇଟରରେ ସେୟାର କରିଛନ୍ତି ନର୍ଥ କ୍ୟାରୋଲିନା ଷ୍ଟେଟ ୟୁନିର୍ଭସିଟିର ବୈଜ୍ଞାନିକ ପାଲ ବାର୍ଣ୍ଣେ । ମଙ୍ଗଳଗ୍ରହର ପୃଷ୍ଠରୁ ଏହି ଭସା ମେଘ ଏତେ ଉଚ୍ଚରେ ରହିଛି ଯେ ରାତିରେ ମଧ୍ୟ ସୂର୍ଯ୍ୟ କିରଣରେ ଚମକୁଛି । ଏହା ପୃଥିବୀର ବାଦଲ ଭଳି ଦେଖାଯାଉଥିଲେ ମଧ୍ୟ ସମାନ ନୁହେଁ । ରିପୋର୍ଟ କହୁଛି ଦୁଇ ଗ୍ରହର ବାୟୁମଣ୍ଡରେ ବିଶେଷ ପାର୍ଥକ୍ୟ ରହିଛି ।

ବାୟୁମଣ୍ଡଳରେ କ’ଣ ରହିଛି ପାର୍ଥକ୍ୟ?

ମଙ୍ଗଳ ଗ୍ରହ ଓ ପୃଥିବୀର ବାୟୁମଣ୍ଡଳରେ ବିଶେଷ ପାର୍ଥକ୍ୟ ରହିଛି । ମଙ୍ଗଳ ଗ୍ରହର ବାୟୁ ମଣ୍ଡଳ ପୃଥିବୀର ବାୟୁମଣ୍ଡଳ ତୁଳନାରେ ବହୁତ ପତଳା । ୟୁରୋପୀୟ ସ୍ପେଶ ଏଜେନ୍ସୀ ଅନୁସାରେ ପୃଥିବୀର ବାୟୁ ମଣ୍ଡଳରେ ନାଇଟ୍ରୋଜେନ ଓ ଅକ୍ସିଜେନ ଅଧିକ ରହିଛି । କିନ୍ତୁ ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ କାର୍ବନଡାଇଅକ୍ସାଇଡ ବା ଅଙ୍ଗାରକାମ୍ଲର ମାତ୍ରା ଅଧିକ ।

ମଙ୍ଗଳ ଗ୍ରହରେ କେମିତି ହୁଏ ମେଘର ସୃଷ୍ଟି  

ପୃଥିବୀରେ ଛୋଟ ଛୋଟ ଜଳ କଣିବା ଘନୀଭୂତ ହୋଇ ବାୟୁରେ ଉପରକୁ ଯାଇ ବିଶେଷ ପରିବେଶରେ ମେଘ ସୃଷ୍ଟି ହୋଇଥାଏ । ହେଲେ ମଙ୍ଗଳ ଗ୍ରହରେ ମହାକାଶରୁ ଆସିଥିବା ଧୂଳିକଣା ଯୋଗୁଁ ମେଘ ସୃଷ୍ଟି ହେ୍ଉଥିବା କହୁଛନ୍ତି ବୈଜ୍ଞାନିକ । ତେବେ ମଙ୍ଗଳଗ୍ରହରେ ଉଡୁଥିବା ମେଘର ଅଣୁ ଜଳକଣିକା ନୁହେଁ ଅଙ୍ଗାରକାମ୍ଳର । ଏହାଛଡା ଲାଲଗ୍ରହର ପତଳା ବାୟୁ ମଣ୍ଡଳ ଯୋଗୁଁ ମେଘ ଭାସିଥାଏ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି ।