ଭୂତାଣୁ ରୋକିପାରିବନି କପଡା ମାସ୍କ । ଆମେରିକା ସିଡିସି କହିଲା, ସୁରକ୍ଷିତ ହେଉଛି ସର୍ଜିକାଲ ଓ ଏନ-୯୫ ମାସ୍କ ।

169

କନକ ବ୍ୟୁରୋ : ଆମେରିକାର ପ୍ରମୁଖ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର- ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି, କପଡା ମାସ୍କ କରୋନାର ନୂଆ ଭୂତାଣୁକୁ ରୋକିବାରେ ସକ୍ଷମ ନହୋଇପାରେ । କିଛି ଦିନ ପୂର୍ବରୁ ଭାରତୀୟ ବିଶେଷଜ୍ଞମାନେ ଠିକ୍ ଏହି ଭଳି ପରାମର୍ଶ ଦେଇଥିଲେ । ଏବେ ଆମେରିକା ବି ନିଶ୍ଚିତ ହୋଇଛି ଯେ, କପଡା ମାସ୍କ କାମ କରୁନାହିଁ ।

କାମ କରୁନି କପଡା ମାସ୍କ । ଆମେରିକା ସିଡିସି ଦେଲା ତଥ୍ୟ । ସାରା ବିଶ୍ୱରେ ମାଡି ଚାଲଛି କରୋନା ସଂକ୍ରମଣ । କରୋନାରୁ ପ୍ରାଥମିକ ସୁରକ୍ଷା ପାଇଁ ମାସ୍କ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ତେବେ କେଉଁ ମାସ୍କ ପିନ୍ଧିବା ଆବଶ୍ୟକ । କେଉଁ ମାସ୍କ ଆପଣଙ୍କୁ କରୋନାରୁ ସୁରକ୍ଷା ଦେଇପାରିବ ଏ ନେଇ ସ୍ପଷ୍ଟ ସୂଚନା ଦେଇଛି ଆମେରିକାର ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍ ବା ସିଡିସି । କପଡା ମାସ୍କ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ବିରୋଧୀ ଲଢେଇରେ ଅଧିକ ସୁରକ୍ଷା ଦେଉନାହିଁ । ସର୍ଜିକାଲ ମାସ୍କ ଓ ଏନ୍-୯୫ ମାସ୍କ ତୁଳନାରେ କପଡ଼ା ମାସ୍କ ଅଧିକ ସୁରକ୍ଷା ଦେଉ ନାହିଁ ବୋଲି ସିଡିସି କହିଛି ।

ଭୂତାଣୁକୁ ଖାଲି ଆଖିରେ ଦେଖି ହେବନି । ତେଣୁ କପଡା ମାସ୍କରେ ଥିବା ଛିଦ୍ରରେ ଏହା ପ୍ରବେଶ କରିବାର ସମ୍ଭାବନା ରହିଛି । ତେଣୁ ଓମିକ୍ରନ ଭଳି ଭ୍ୟାରିଆଂଟର ମୁକାବିଲା କରିବାକୁ ହେଲେ ଏନ-୯୫ ମାସ୍କ ପିନ୍ଧିବା ଆବଶ୍ୟକ । କାରଣ ଏନ୍-୯୫ ମାସ୍କ ସମସ୍ତ ବାୟୁବାହୀ କଣିକାର ୯୫ ପ୍ରତିଶତ ଫିଲଟର କରିପାରେ ବୋଲି ସିଡିସି କହିଛି ।

ସିଡିସି ପକ୍ଷରୁ କୁହାଯାଇଛି, ସଂକ୍ରମିତ ରୋଗୀଙ୍କ ସହ କଥାବାର୍ତା କରିବା ସମୟରେ ଡାକ୍ତର ଓ ନର୍ସମାନେ ନିୟମିତ ସର୍ଜିକାଲ ମାସ୍କ ପିନ୍ଧିବା ଆବଶ୍ୟକ । ସିଡିସି ପକ୍ଷରୁ କୁହାଯାଇଛି ଯେ, ମାସ୍କ ପିନ୍ଧିବା ସମୟରେ ନିଶ୍ୱାସ ନେବା ଦ୍ୱାରା କାର୍ବନ ଡାଇଅକ୍ସାଇଡର ସ୍ତର ବୃଦ୍ଧି ପାଇନଥାଏ । ଅଧିକ ସମୟ ଏନ୍-୯୫ ମାସ୍କ ପିନ୍ଧିବା ଦ୍ୱାରା ଅସ୍ୱାଭାବିକ ଲାଗିଥାଏ । ଏନ୍-୯୫ ମାସ୍କକୁ ଥରେ ପିନ୍ଧିବା ପରେ ଖରାରେ ଶୁଖାଇଦେବା ଦରକାର । ଏହା ଦ୍ୱାରା ମାସ୍କରେ ଥିବା ଭୂତାଣୁ ମରିଯାଇଥାଏ । ଥରେ ପିନ୍ଧିବାର କିଛି ଦିନ ପରେ ଆଉ ଥରେ ପିନ୍ଧିବା ଦରକାର ବୋଲି ସିଡିସି କହିଛି ।