କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଓଡିଶା ଛାଡିସାରିଛି । ଲୋକମାନେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଏବେ ଘରମୁହାଁ । ହେଲେ ଏପରି ସ୍ଥିତିରେ କରୋନା ସଂକ୍ରମଣ ବଢିବାର ଅନେକ ସମ୍ଭାବନା ରହିଛି । ଯାହାକୁ ଆଖି ଆଗରେ ରଖି ଆଜି ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ବାତ୍ୟା ପାଇଁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ଉପରେ ପ୍ରଶାସନ ନଜର ରଖିବା ସହିତ ସେମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି କି ତାହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବାତ୍ୟା ୟାସ୍ ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଅନେକ ଲୋକଙ୍କ ସ୍ଥାନାନ୍ତରିତ କରାଯାଇଥିଲା । ଏହି ସମୟରେ ସେମାନେ ଖୁବ ଛୋଟ ଘରେ ମଧ୍ୟ ଆଶ୍ରୟ ନେଇଥିଲେ । ଏବେ ସେମାନେ ଘରକୁ ଫେରିଛନ୍ତି । ହେଲେ ଏବେ ତାଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ଉପରେ ନଜର ରଖିବାକୁ ୧୨ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହିତ ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚିଠି ଲେଖିଛି । ଯଦି କୌଣସି ଲୋକଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହାପୂର୍ବରୁ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରିଥିଲେ ।