କଳାହାଣ୍ଡିରେ କ୍ଲୋଜ୍ ଫାଇଟ୍ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟ, କହାହାଣ୍ଡିରେ କିଏ ଜିତିବ କହିବା ମୁସ୍କିଲ । 

386

କନକ ବ୍ୟୁରୋ : କଳାହାଣ୍ଡିରେ ହେବ କ୍ଳୋଜ ଫାଇଟ୍ । ବୁଥ୍ ବାହୁଡା ମତ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କଳାହାଣ୍ଡିରେ ତିନି ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ୨୦୧୯ର ଏହି ଲଢେଇରେ କିଏ ବାଜି ମାରିବ ଓ କିଏ ରଣଭୂମିରେ ପରାଜିତ ହେବ ତାହା କହିବା ମୁସ୍କିଲ । ତିନି ଦଳର ହେଭିୱେଟ ନେତାଙ୍କ ମଧ୍ୟରୁ ଜନତା କାହାକୁ ନେତା ବାଛିବେ ତାହା ଏକଜିଟ୍ ପୋଲରେ ମଧ୍ୟ ସ୍ପଷ୍ଟ ହୋଇନାହିଁ । କଳାହାଣ୍ଡି ଲୋକସଭା ଆସନରେ ଯେଉଁଭଳି କନଫ୍ୟୁଜନ ଦେଖିବାକୁ ମିଳୁଛି ଠିକ୍ ସେହିଭଳି କନଫ୍ୟୁଜନ୍ ଏହା ଅଧୀନରେ ଆସୁଥିବା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିପାରେ ।

୨୦୧୪ରେ ବିଜେଡି ଏହି ଲୋକସଭା ଅର୍ନ୍ତଗତ ୭ ବିଧାନସଭା ଆସନ ମଧ୍ୟରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ମାତ୍ର ୩ଟି ଆସନରେ ବାଜି ମାରିବା ନେଇ ସମ୍ଭାବନା ଦେଖା ଦେଇଛି । ସେହିଭଳି ଚଳିତ ନିର୍ବାଚନରେ ବିଜେପିକୁ ମଧ୍ୟ କ୍ଷତି ସହିବାକୁ ପଡିପାରେ । ୨୦୧୪ରେ ବିଜେପି ଏଠାରେ ୨ଟି ଆସନରେ ବାଜି ମାରିଥିବା ବେଳେ ୨୦୧୯ରେ ଗୋଟିଏ ଆସନରେ ଜିତିବା ନେଇ ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି । ଏହାଛଡା ବଳକା ୩ଟି ଆସନରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ ।

୨୦୧୪ରେ ବିଜେପି ଦଖଲରେ ଥିବା ନୂଆପଡା ଆସନରେ ବିଜେଡି ଜିତୁଥିବା ନେଇ ଏକଜିଟ୍ ରିପୋର୍ଟ କହୁଥିବା ବେଳେ ଖରିଆରରେ ୨୦୧୪ର ପ୍ରଦର୍ଶନ ଦୋହରାଇବା ସହ ପୁଣିଥରେ କ୍ଷମତା ଦଖଲ କରିପାରେ ବିଜେପି । ସେହିଭଳି ୨୦୧୪ରେ ବିଜେଡି ଦଖଲରେ ଥିବା ଅନ୍ୟ ୫ଟି ଆସନ ଲାଞ୍ଜିଗଡ,ଜୁନାଗଡ,ଧର୍ମଗଡ, ଭବାନୀପାଟଣା ଓ ନର୍ଲା ଆସନ ମଧ୍ୟରୁ ୨ଟି ଆସନ ଧର୍ମଗଡ ଓ ନର୍ଲାରେ ବିଜେଡିର ଫଲ୍ଲା ଭାରି ରହିପାରେ । ଅନ୍ୟ ୩ଟି ଆସନ ଲାଞ୍ଜିଗଡ, ଜୁନାଗଡ ଓ ଭବାନୀପାଟଣାରେ କ୍ଲୋଜ ଫାଇଟ୍ ହୋଇପାରେ । ତେଣୁ ଏହି ୩ ଆସନରେ କିଏ ବାଜି ମାରିବ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ । କ୍ଲୋଜ ଫାଇଟକୁ ବାଦ୍ ଦେଲେ କଳାହାଣ୍ଡିରେ କଂଗ୍ରେସର ୨୦୧୪ ଭଳି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।