ଅକାଳରେ ଜୀବନ ନେଉଛି ଜଳବାୟୁ ପରିବର୍ତ୍ତନ, ୫୦ ବର୍ଷରେ ଆଖି ବୁଜିଲେଣି ୨୦ଲକ୍ଷ ଲୋକ

141

କନକ ବ୍ୟୁରୋ: ଜଳବାୟୁ ପରିବର୍ତନ ଯୋଗୁଁ ବଢୁଛି ପ୍ରାକୃତିକ ବିପତ୍ତି ।  କେତେବେଳେ ବନ୍ୟା ତ ପୁଣି କେତେବେଳେ ବାତ୍ୟା । ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି ମରୁଡି । ଘାତକ ସାଜିଥିବା ଜଳବାୟୁ ପରିବର୍ତନ ଅକାଳରେ ନେଇଚାଲିଛି ଜୀବନ ।  ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ବା ଡବ୍ଲୁ ଏମ ଓ ପ୍ରକାଶିତ କରିଥିବା ରିପୋର୍ଟ ଆପଣଙ୍କୁ ଚିନ୍ତାରେ ପକାଇଦେବ ।  ଡବ୍ଲୁ ଏମ ଓ ରିପୋର୍ଟ ଦର୍ଶାଇଛି ଯେ, ଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୨ ହଜାରରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି ।  ବାଂଲାଦେଶରେ ସର୍ବାଧିକ ମୃତ୍ୟ ହୋଇଥିବାବେଳେ ଦ୍ୱିତୀୟରେ ରହିଛି ଭାରତ । ଭାରତରେ ୫୦ ବର୍ଷରେ ଜଳବାୟୁ ପରିବର୍ତନ ଜନିତ ୫୭୩ ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ଆଉ ଏଥିରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ଜୀବନ ଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ହେଲେ ଅନେକ ଅଞ୍ଚଳର ଚିହ୍ନ ବର୍ଣ୍ଣ ହଜିଯାଏ । ଲୋକେ ଜୀବନ ବିତାଇବା ପାଇଁ ଗୋଟିଏ ସ୍ଥାନ ଛାଡି ଅନ୍ୟସ୍ଥାନକୁ ଚାଲିଯାନ୍ତି ।  ଏଭଳି ପରିସ୍ଥିତିରେ ବି ଅନେକଙ୍କର ମୃତ୍ୟୁ ହୁଏ , କିନ୍ତୁ ଏସବୁର ହିସାବ ନଥାଏ ବୋଲି କହିଛନ୍ତି ବିଶେଷଜ୍ଞ । ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତନ ଭୟଙ୍କର ଆର୍ଥିକ ଦୁର୍ଗତି ଆଣିଛି । ବନ୍ୟା, ବାତ୍ୟା ଏବଂ ଜଙ୍ଗଲ ନିଆଁ କାରଣରୁ ଗତ ୫୦ ବର୍ଷରେ ମୋଟ ୪.୩  ଲକ୍ଷ କୋଟି ଡଲାର କ୍ଷତି ହୋଇଛି । ଆମେରିକା ଅର୍ଥନୀତିରେ ୧.୭ ଲକ୍ଷ କୋଟି ଡଲାର କ୍ଷତି ହୋଇଛି ।

ଅତ୍ୟଧିକ ତାପମାତ୍ରା ଯୋଗୁଁ ମୃତ୍ୟୁର ସଂଖ୍ୟା ବଢୁଥିବାବେଳେ ବନ୍ୟା ଯୋଗୁଁ  ଆର୍ଥିକ କ୍ଷୟକ୍ଷତି ଘଟୁଥିବା ଡବ୍ଲୁ ଏମ ଓ ରିପୋର୍ଟ ଦର୍ଶାଇଛି । ଆଉ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ କହିଛି ବିଶ୍ୱ ପାଣିପାଗ ସଙ୍ଗଠନ  ।