ଜଳବାୟୁ ପରିବର୍ତ୍ତନ ଉଜାଡିଦେଉଛି ଜୀବିକା । ଅନିଚ୍ଛା ସତ୍ୱେ ପେଟପାଟଣା ପାଇଁ ଭିଟାମାଟି ଛାଡୁଛନ୍ତି ଶ୍ରମିକ ।

107

କନକ ବ୍ୟୁରୋ: ଜଳବାୟୁ ପରିବର୍ତନ ବି ନିର୍ୱାଚନକୁ ପକାଇପାରେ ପ୍ରଭାବ । ଏହା ସାଧାରଣତ ନଜରକୁ ଆସୁନଥିଲେ ବି ପ୍ରତ୍ୟକ୍ଷରେ ଏହା ଭୋଟ ହାରକୁ କରେ ପ୍ରଭାବିତ । ବର୍ଷା କମ ଯୋଗୁଁ ଚାଷ ଉପରେ ସମ୍ପୂର୍ଣ ନିର୍ଭର ନକରି ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ରୋଜଗାର ଆଶାରେ ଯାଉଛନ୍ତି ଓଡିଆ ଶ୍ରମିକ । ନିର୍ୱାଚନ ହେଲେ ହାତ ଗଣତି ଲୋକ ଭୋଟ ଦେବା ଓଡିଶା ଆସନ୍ତି, କିନ୍ତୁ ସେ ସଂଖ୍ୟା ସମୁଦ୍ରକୁ ଶଙ୍ଖେ…

ଘରର ବୋଝକୁ ହାଲୁକା କରିବା ପାଇଁ ମୁଣ୍ଡରେ ଇଟା ବୋହୁଛନ୍ତି ଏହି ମହିଳାମାନେ । ଥରେ ବୋହିଲେ ମିଳୁଛି ୨ ଟଙ୍କା । ଏମିତି ଦୁଇ ଦୁଇ ଟଙ୍କା ସଂଚୟ କରି ପେଟ ପୋଷିବା ପାଇଁ ଟଙ୍କା ଯୋଗାଡ କରୁଛନ୍ତି ମହିଲାମାନେ । କିଏ ନବରଙ୍ଗପୁରରୁ ଆସିଛି ତ ଆଉ କାହା ଘର ମୟୁରଭଞ୍ଜରେ । ଭୁବନେଶ୍ୱରର ଏହି ଇଟା ଭାଟିରେ ସଭିଏଁ ଏକାଠି ହୋଇ ଲାଗିପଡିଛନ୍ତି କାମରେ । ଜଳବାୟୁ ପରିବର୍ତନ ଯୋଗୁଁ ଏମାନଙ୍କ ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଜମିକୁ ନା ମିଳୁଛି ପାଣି ନା ହେଉଛି ଭଲ ଧାନ । ସେଥିପାଇଁ ତ ଘର ଦ୍ୱାର ଛାଡି ଇଟା ଭାଟିକୁ ଚାଲିଆସିଛନ୍ତି ଏମାନେ । ଗାଁଠାରୁ ସହର ଯାଏଁ , ଚା ଖଟି ଠାରୁ ନେତାଙ୍କର କୋଠରୀ ଯାଏଁ ସବୁଠି ନିର୍ବାଚନର ମାହୋଲ ଥିବାବେଳେ ଏସବୁରୁ ଏମାନେ ବହୁ ଦୁରରେ । କେଉଁ ଦଳରୁ କିଏ ଟିକେଟ ପାଇଛି ସେତିିକି ଜାଣିବାକୁ ବି ଏମାନେ ଆଗ୍ରହୀ ନାହାନ୍ତି । ଯଦି କେଉଁ ବିଧାୟକଙ୍କ ସମର୍ଥକ ଗାଡି ପଠାଇଲେ ତେବେ ହୁଏତ ଏମାନେ ଭୋଟ ଦେବାକୁ ନିଜ ଗାଁକୁ ଯାନ୍ତି ନଚେତ ଏଇଠି ହିଁ ବିତିଯାଏ ନିର୍ବାଚନ ସମୟ । ରୋଜଗାର ଆଶାରେ ଓଡିଶାର ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବାବେଳେ ବିହାରର ଅନେକ ଶ୍ରମିକ ଓଡିଶାରେ ଦାଦନ ଖଟିବାକୁ ଆସିଛନ୍ତି । ଠିକାଦାରଙ୍କ ଠାରୁ ଅଗ୍ରୀମ ଟଙ୍କା ନିଅନ୍ତି ଶ୍ରମିକମାନେ । ପିଲାଛୁଆଙ୍କୁ ସାଥିରେ ଧରି ଚାଲିଆସନ୍ତି ଓଡିଶା । କିଛି ଦିନ ଏଠି ଖଟନ୍ତି ତ ପୁଣି କିଛି ଅନ୍ୟ କେଉଁଠି ।

କୋଭିଡ ସମୟରେ ଲକ୍ଷାଧିକ ଶ୍ରମିକଙ୍କ ଘରବାହୁଡା ରାଜ୍ୟରେ ଦାଦନ ସମସ୍ୟାର ଚିତ୍ର ଧରାଇ ଦେଇଥିଲା । କରୋନା ବ୍ୟାପୁଥିବାବେଳେ ପାଖାପାଖି ୧୦ ଲକ୍ଷ ଓଡିଆ ଶ୍ରମିକ ଘରକୁ ଫେରିଥିଲେ । ବରଗଡ, ବଲାଙ୍ଗୀର , କଳାହାଣ୍ଡି, ନୂଆପଡା,ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡାର ଶ୍ରମିକମାନେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣର୍ାଟକ, ତାମିଲନାଡୁ, ଗୁଜୁରାଟ ଓ କେରଳକୁ କାମ ସନ୍ଧାନରେ ଯାଉଛନ୍ତି । ତେବେ ଏହି ଶ୍ରମିକଙ୍କୁ ନେଇ କାମ କରୁଥିବା ସଂସ୍ଥାର ଠିକାଦାରମାନେ ନିର୍ବାଚନ ସମୟରେ ଟିକେ ସଜାଗ ହୋଇଯାନ୍ତି । ଶ୍ରମିକମାନେ ଯେଭଳି ଦିନକରେ ଫେରିବେ ସେହି ବ୍ୟବସ୍ଥା ବି କରନ୍ତି । ଘରଠାରୁ ଦୂରରେ ରହି କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଭୋଟ ଦେବାକୁ ବିକଳ୍ପ ବ୍ୟବସ୍ତା କରିବାକୁ ଅନେକ ଦିନରୁ ଦାବି ହୋଇଆସୁଛି । କିନ୍ତୁ ଫଳ ଶୂନ ।