କାହିଁକି ସାଗରରୁ ବାରମ୍ବାର ଆସୁଛି ବାତ୍ୟା? ଜଳବାୟୁ ବଦଳୁଛି, ସମୁଦ୍ର ଗର୍ଭରେ ପ୍ରଭାବ ପଡୁଛି । ସାମ୍ନାକୁ ଆସିଲା ସାଂଘାତିକ ସତ..

975

କନକ ବ୍ୟୁରୋ: ଗୋଟିଏ ଦଶନ୍ଧି ପୂରଣ ହେବା ପରେ ଦେଶର ପାଣିପାଗ ପରିବର୍ତନର ସମୀକ୍ଷା କରିଛି ପାଣିପାଗ ବିଭାଗ । ଗତ ୨୦୧୯ ମସିହା ଥିଲା ଭାରତର ଅନ୍ୟତମ ଉତପ୍ତ ବର୍ଷ । ଏହି ବର୍ଷ ହାରାହାରି ତାପମାତ୍ରାର ବୃଦ୍ଧି ୦.୩୬ ଡିଗ୍ରୀ ରେକର୍ଡ ହୋଇଛି । କେବଳ ସେତିକି ନୁହେଁ ୨୦୦୫ରୁ ୨୦୧୯ ମଧ୍ୟରେ ୧୫ ବର୍ଷ ମଧ୍ୟରେ ୧୧ ବର୍ଷର ତାତି ରେକର୍ଡ ଭାଙ୍ଗିଛି । ୨୦୧୬ ମସିହାରେ ହାରାହାରି ତାପମାତ୍ରା ୦.୭୧ ଡିଗ୍ରୀ ସେଲସିଅସ୍ ବଢିବା ସହ ସବୁଠାରୁ ଉତପ୍ତ ବର୍ଷ ହୋଇଛି । ଏହା ପଛକୁ ୨୦୦୯ରେ ୦.୫୪୧ ଡିଗ୍ରୀ, ୨୦୧୭ରେ ୦.୫୩୯ ଡିଗ୍ରୀ, ୨୦୧୦ରେ ୦.୫୪ ଡିଗ୍ରୀ ଓ ୨୦୧୫ରେ ୦.୪୨ ଡିଗ୍ରୀ ସେଲସିଅସ୍ ବୃଦ୍ଧି ପାଇଥିବା ଜଣାପଡିଛି ।

ସେପଟେ ତାପମାତ୍ରା ବୃଦ୍ଧିର ପ୍ରଭାବ ସମୁଦ୍ର ପୃଷ୍ଠରେ ଦେଖିବାକୁ ମିଳିଛି । ବଢିଛି ବାତ୍ୟାର ସଂଖ୍ୟା । ପାଣିପାଗ ବିଭାଗର ରେକର୍ଡ ଅନୁସାରେ, ୨୦୧୯ ମସିହାରେ ଭାରତୀୟ ସମୁଦ୍ର ଅଂଚଳରେ ମୋଟ ୮ଟି ବାତ୍ୟା ସୃଷ୍ଟି ହୋଇଥିଲା । ସେଥି ମଧ୍ୟରୁ ୩ଟି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ୫ଟି ଆରବ ସାଗରରେ ସୃଷ୍ଟି ହୋଇଥିଲା । ବିଶେଷ କରି ଅପେକ୍ଷାକୃତ ଶାନ୍ତ ଥିବା ଆରବ ସାଗରରେ ଏହି ସମୟରେ ଦେଖିବାକୁ ମିଳିଛି ଅଧିକ ବାତ୍ୟା । ହିସାବ ଅନୁସାରେ ଆରବ ସାଗରରେ ବାର୍ଷିକ ଗୋଟିଏ ବାତ୍ୟା ସୃଷ୍ଟି ହେଉଥିବା ବେଳେ ଗତ ବର୍ଷ ଏହାର ମାତ୍ରା ୫ଗୁଣ ବଢିଛି ।

ତେବେ ପୂର୍ବରୁ କେବଳ ୧୯୦୨ ମସିହାରେ ସର୍ବାଧିକ ୫ଟି ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଥିଲା । ସମୟ ସହ ବଦଳୁଛି ଜଳବାୟୁ । ଏହାର ପ୍ରଭାବ ଆମ ପ୍ରକୃତି ଉପରେ ପଡୁଥିବା ପାଣିପାଗ ବିଭାଗର ତଥ୍ୟ ସ୍ପଷ୍ଟ କରୁଛି । ବର୍ଷକୁ ବର୍ଷ ବଢୁଥିବା ତାପମାତ୍ରା ଉଦ୍ବେଗ ସୃଷ୍ଟି କରିଛି ।