ଠିକାରେ ନିଯୁକ୍ତି ହେଲେ ଆୟ କୋଟି କୋଟି : ପଞ୍ଚାୟତରେ କିରାଣୀ ଭାବେ କାମ କରୁଥିବା କର୍ମଚାରୀଙ୍କ ସମ୍ପତ୍ତି କରିଦେବ ତାଜୁବ

୬ ବର୍ଷର ଚାକିରୀରେ କରିଛନ୍ତି ୬୦ଟି ପ୍ଲଟ ; ଭିଜିଲାନ୍ସ ରେଡରୁ ମିଳିଲା ଦେଢ କୋଟିର ସମ୍ପତ୍ତି

177

କନକ ବ୍ୟୁରୋ : ଠିକାରେ ନିଯୁକ୍ତି ପାଇଥିବା କିରାଣୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ଭିଜିଲାନ୍ସ ଚଢାଉ ପରେ ପଂଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କ ଘରୁ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି ଠାବ ହୋଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ବଡ଼ଛପାଲ ପଂଚାୟତର ଟେକ୍ନିନକାଲ ଆସିଷ୍ଟାଣ୍ଡ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଅଫିସ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ମାତ୍ର ୬ ବର୍ଷର ଚାକିରୀ ଭିତରେ ସେ ୬୦ଟି ପ୍ଲଟର ମାଲିକ ହୋଇପାରିିଛନ୍ତି ।

ସୂଚନା ଅନୁସାରେ ଗୌଡନାଳିରେ ବିକାଶ ବେହେରାଙ୍କ ୫୦ଟି ପ୍ଲଟ ରହିଛି । ଯାହାର ମୂଲ୍ୟ ୧୨ ଲକ୍ଷ ୭୨ ହଜାର ଟଙ୍କା । ଖଜୁରୀବାହାଲରେ ୨ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ୯ ଲକ୍ଷ ୭୫ ହଜାର ଟଙ୍କା । ଦେବଗଡ ଟାଉନ ଥାନାରେ ୨ଟି ପ୍ଲଟ, ଯାହାର ଦାମ ୯ଲକ୍ଷ ୭୫ ହଜାର ଟଙ୍କା । ସମ୍ବଲପୁରରେ ଥିବା ଗୋଟିଏ ପ୍ଲଟର ଦାମ ୮ଲକ୍ଷ ୩୬ ହଜାର ଟଙ୍କା ଆକଳନ କରାଯାଇଛି । ଘରେ ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୩ଲକ୍ଷ ୬୧ ହଜାର ୪୬୦ ଟଙ୍କା ।

ସେହିପରି ନଗଦ ୨ଲକ୍ଷ ୯୯ ହଜାର ଟଙ୍କା ସହ ୩୮୬ ଗ୍ରାମ ସୁନା ଜବତ ହୋଇଛି ଯାହାର ମୂଲ୍ୟ ହେବ ୭ ଲକ୍ଷ ୮୩ ହଜାର ୨୪୦ ଟଙ୍କା । ବ୍ୟାଙ୍କରେ ୬ଲକ୍ଷ ୬୧ ହଜାର ୪୧୦ ଟଙ୍କାର ଜମା ରାଶି ସହ ଗୋଟିଏ ବଲେରୋ ଜବତ କରାଯାଇଛି । ତେବେ ବିକାଶ ବେହେରାଙ୍କ ଘରୁ ମୋଟ ୧କୋଟି ୨ଲକ୍ଷ ୫୨ ହଜାର ୩୬୧ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି ଜବତ କରିଛି ଭିଜିଲାନ୍ସ ଟିମ୍ ।