କନକ ବ୍ୟୁରୋ : ୬ ଅଗଷ୍ଟ ୨୦୨୦ ଅହମ୍ମଦାବାଦର ଶ୍ରେୟ କୋଭିଡ ହସ୍ପିଟାଲରେ ନିଆଁ ଲାଗିଲା । ଆଉ ସେ ନିଆଁ ନେଇଥିଲା ୮ ଜଣ ରୋଗୀଙ୍କ ଜୀବନ । ପ୍ରଧାନମନ୍ତ୍ରୀ ଦୁଖ ବ୍ୟକ୍ତ କଲେ । ଏହା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଅହମ୍ମଦାବାଦର ମେୟରଙ୍କୁ ନିର୍ଦ୍ଦେଶ ଦେଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମେଡିକାଲ ମାନଙ୍କରେ ଅଗ୍ନି ନିରାପତ୍ତା ନେଇ ଏକ ଗାଇଡଲାଇନ ଜାରି କରିଥିଲେ । ଯେଉଁଥିରେ ଲିଖିତ ଥିଲା କି ସବୁ ସରକାରୀ ଓ ବେସରାକରୀ ମେଡିକାଲରେ ଅଗ୍ନିନିରାପତ୍ତାର ସ୍ଥିତି ଉପରେ ଯାଂଚ କରାଯାଉ । ଯେଉଁ ମେଡିକାଲ ମାନଙ୍କରେ ଅଗ୍ନିନିରାପତ୍ତା ଠିକ୍ ଠାକ୍ ନଥିବ ତାହାର ଲାଇସେନ୍ସ ରଦ୍ଦ କରାଯାଉ ।
କାଳେ ରାଜ୍ୟରେ କିଛି ଅଘଟଣ ଘଟିବ, ନିଜଆଡୁ ପଦକ୍ଷେପ ନେବା ଆରମ୍ଭ କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ତରଫରୁ ଜାରି ଗାଇଡ ଲାଇନ ମୁତାବକ ଯାଂଚ କରିଥିଲା ଅଗ୍ନିଶମ ବିଭାଗ । ହେଲେ ଏହି ଯାଂଚ ପରେ ଯେଉଁ ମେଡିକାଲ ମାନଙ୍କରେ ବ୍ୟବସ୍ଥା ଠିକ୍ ଠାକ୍ ନଥିଲା ସେମାନଙ୍କ ପାଇଁ ବିଭାଗ କଣ ଆଭିମୁଖ୍ୟ ଗ୍ରହଣ କରିଥିଲା? ଖାଲି ଚେତାବନୀ ଦେଇ ଛାଡି ଦେଇଥିଲା ନା, ସୁଧାର ଆଣିବା ପାଇଁ କିଛି ନିର୍ଦ୍ଦେଶ ଦେଇଥିଲା?
କଟକରେ ଯେଉଁ ଘଟଣା ଦେଖିବାକୁ ମିଳିଲା ଏଥିପାଇଁ ଦାୟୀ କିଏ ରହିବ? କଟକ ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଗୁଜୁରାଟର ଶ୍ରେୟ ହସ୍ପିଟାଲ ଭଳି ସ୍ଥିତି । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ବଡ ପ୍ରଶ୍ନ ଉଠୁଛି, ମାତ୍ର କିଛି ଦିନ ତଳେ ଯେତେବେଳେ ଅଗ୍ନିଶମ ବିଭାଗ ଯାଂଚ କରି ସବୁକିଛି ଠିକ ଥିଲା ବୋଲି କହୁଥିଲା, ସେତେବେଳେ ସଟସର୍କିତ ହେଲା କେମିତି? ଯଦି ସଟ ସର୍କିଟ ହେଲା ତେବେ ଫାୟାର ଆଲାର୍ମ ବାଜିଥିଲା କି ନାହିଁ? ଉପସ୍ଥିତ ଥିବା କର୍ମଚାରୀ ନିଆଁକୁ ଆୟତ କରିବାକୁ ହଠାତ କଣ ପଦକ୍ଷେପ ନେଲେ?
ନିଆଁ ଲିଭାଇବାକୁ ଆବଶ୍ୟକୀୟ ଉପକରଣ ଥିଲା କି ନାହିଁ? ବଡ କଥା ହେଉଛି, ସରକାର ନିଆଁ ଲାଗିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ହସ୍ପିଟାଲକୁ ଯାଇ ଫାୟାର ସେଫଟୀ ଯାଂଚ କରିଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ କି ନାହିଁ? ଟିମ କଣ ହସ୍ପିଟାଲରେ ସବୁ କିଛି ଠିକ ଅଛି ବୋଲି କହିଥିଲା? କରୋନା କାଳରେ ହସ୍ପିଟାଲରେ ଶଯ୍ୟା ଅଭାବ ସମସ୍ୟା ବଢାଇଛି, ଆଇସିୟୁ ପାଉନାହାନ୍ତି ରୋଗୀ । ଆଉ ଏଭଳି ସ୍ଥଳେ ଗୋଟିଏ କୋଭିଡ ହସ୍ପିଟାଲରେ ନିଆଁ ଲାଗି ଯାଉଛି, ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡୁଛି । ଯଦିଓ ଏଥିରେ କେହି ମୃତାହତ ହୋଇନାହାନ୍ତି, ତେବେ ପ୍ରଶ୍ନ ଉଠିବ, ଅଘଟଣ ହେଲା ପରେ ହିଁ ଯାଇ ସମସ୍ତେ ଚେତିବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/9-28.jpg)