କନକ ବ୍ୟୁରୋ: ମୋଦିଙ୍କ ହାତରେ ଝାଡୁ । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ବାର୍ତା  ଦେଇ ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । ଆଉ ଏହାକୁ ଗ୍ରହଣ କରି ସାରା ଦେଶରେ ଝାଡୁ ଧରି  ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ନେତା ।

Advertisment

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ଠିକ୍ ଦିନକ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ବାର୍ତା ନେଇ ନେତା ଉଠାଇଛନ୍ତି ସଫେଇ ଝାଡୁ । ସ୍ୱଚ୍ଛତା ହିଁ ସେବା ଏହି ନାରାକୁ ଅଭିଯାନ ଭାବେ ଗ୍ରହଣ କରି ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ଏହାର ଭିଡିଓ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଅଙ୍କିତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ତାଙ୍କ ଫିଟ୍ନେସ୍ ସଂପର୍କରେ ମଧ୍ୟ ଅଙ୍କିତଙ୍କଠାରୁ ପଚାରି ବୁଝିଛନ୍ତି ।

ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଆହ୍ୱାନକୁ ଆଗ୍ରହର ସହ ଗ୍ରହଣ କରିଛନ୍ତି ଦେଶବାସୀ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅହମ୍ମଦାବାଦରେ ଏହି ଅଭିଯାନରେ ସାମିଲ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ହାତରେ ଝାଡୁ ଧରି ସଫା କରିଥିଲେ ଶାହ ।

ଗୃହମନ୍ତ୍ରୀଙ୍କ ଭଳି ଦିଲ୍ଲୀରେ ଶ୍ରମଦାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସ୍ୱଚ୍ଛତାକୁ ଏକ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଦେଶବାସୀଙ୍କ ଆହ୍ୱାନ ଦେବା ସହ ଏହା ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ, ଜିସି ମାର୍ଗ ଓ ଶ୍ରେୟା ମାର୍ଗରେ ସଫେଇ କରିଛନ୍ତି । ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକ ସାମିଲ ହୋଇଥିଲେ ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଛାତ୍ରଛାତ୍ରୀ । ଖଣ୍ଡଗିରିରେ ରାଜ୍ୟପାଳ ଗଣେଶୀ ଲାଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତି ଅବସରରେ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହୋଇଛି । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୩୫ ହଜାର ଅଙ୍ଗନବାଡି, ୨୨ ହଜାର ବଜାର, ୭ ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋଶାଳା ଓ ୩୦୦ ଚିଡିଆଖାନା ପ୍ରମୁଖ ସାମିଲ ଥିଲା । ଯେଉଁଥିରେ ସାଧାରଣ ଜନତା ମଧ୍ୟ ବେଶ ଉତ୍ସାହର ସହ ସାମିଲ ହୋଇଥିଲେ ।