ବିହାର ବିଧାନସଭାରେ ବିଚିତ୍ର ଚିତ୍ର । ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଅଭିନବ ପ୍ରତିବାଦ । ମାଟି ଚୁଲା ଓ କାଠ ଜାଳେଣି ନେଇ ବିଧାନସଭା ପହଂଚିଲେ କଂଗ୍ରେସ ବିଧାୟକ

150

କନକ ବ୍ୟୁରୋ : ଲଗାତର ଭାବେ ୧୧ ଦିନ ହେବ ପେଟ୍ରୋଲ, ଡିଜେଲର ଦର ବଢିବା ସହ ରୋଷେଇ ଗ୍ୟାସ ବି ମହଙ୍ଗା ହେବାରେ ଲାଗିଛି   । ଏହାକୁ ନେଇ ସାଧାରଣ ଲୋକ ଏବେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ସ୍ୱରରେ ସ୍ୱର ମିଳାଇବାକୁ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବିଧାନସଭା ଭିତରେ ଅଭିନବ ପ୍ରତିବାଦ କରିଛନ୍ତି ।

ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାନ୍ ମାଟି ଚୁଲା ଓ କାଠ ଜାଳେଣି ଧରି ବିଧାନସଭାକୁ ଆସିଥିଲେ । ସେ କହିଛନ୍ତି କି ଏହାକୁ ସେ ସରକାରଙ୍କୁ ଉପହାର ଦେବେ ।  ସକିଲ ଅହମ୍ମଦ ଖାନ୍ ଙ୍କ ସହ ବିଧାୟକ ପ୍ରତିମା କୁମାର ଓ ଅଜିତ୍ ଶର୍ମା ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

ସେହିପରି ତୈଳଦର ବୃଦ୍ଧି ପ୍ରତିବାଦରେ ଆରଜେଡି ବିଧାୟକ ଅସ୍ତରୁଲ ଈସ୍ଲାମ୍ ଶାହୀନ ସାଇକେଲ ଚଢି ବିଧାନସଭା ପହଂଚିଥିଲେ । ସେ ସାଇକେଲ ଆଗରେ ଏକ ବୋର୍ଡ ରଖି ସେଥିରେ ଲେଖିଛନ୍ତି କି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତୈଳଦର ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।

ଅନ୍ୟପଟେ କଂଗ୍ରେସ ନେତା ଜୟବୀର ସିଂ ସେରଗିଲ୍ ଟ୍ୱିଟ୍ କରିଛନ୍ତି କି ୨୦୧୪ ମସିହାରେ ପେଟ୍ରୋଲ ୭୧ ଟଙ୍କା (ବ୍ୟାରେଲ ପିଛା ୧୧୦ ଡଲାର) ଥିବା ବେଳେ ବିଜେପି ନେତା ମାନେ ବିରୋଧ ପ୍ରଦର୍ଶନ କରୁଥିଲେ । ସେପରି ସ୍ଥଳେ ୨୦୨୧ ମସିହାରେ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର ୬୨ ଡଲାର ଥିବା ବେଳେ ଦେଶରେ ତୈଳମୂଲ୍ୟ ୧୦୦ ଟଙ୍କା ଛୁଇଁଛି । ଯାହାକୁ ନେଇ ବିଜେପି ଖୁସି ମନାଉଛି ବୋଲି ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।