ମାଟି ପାତ୍ରର ରୋଷେଇଶାଳ । ମାଟି ପାତ୍ରରେ ରୋଷେଇ କରିବା ସହ ଖିଆ-ପିଆ କରୁଛନ୍ତି ଶରିତା ପଣ୍ଡାଙ୍କ ପରିବାର । ଘରକୁ ବି ସଜେଇଛନ୍ତି ମାଟି ତିଆରି ଘର କରଣା ସାମଗ୍ରୀରେ ।

190

କନକ ବ୍ୟୁରୋ : ମାଟି ପାତ୍ରର ଗୃହିଣୀ ବ୍ରହ୍ମପୁର ସହରର ଶରିତା ପଣ୍ଡା । ଦୀର୍ଘ ୬ ବର୍ଷ ହେବ କେବଳ ମାଟିର ପାତ୍ରରେ ହିଁ ରୋଷେଇ କରୁଛନ୍ତି ଶରିତା । କେବଳ ମାଟି ପାତ୍ରରେ ରୋଷେଇ କରନ୍ତି ତା ନୁହେଁ, ମାଟି ପାତ୍ରରେ ବି ଖାଆନ୍ତି ଆଉ ଖୁଆନ୍ତି । ଏବଂ ମାଟିରେ ତିଆରି ସାମଗ୍ରୀକୁ ଘରେ ସାଇତି ରଖିବାକୁ ବେଶ ଭଲ ପାଆନ୍ତି ଏହି ମହିଳା ।

ମାଟି ପାତ୍ରର ରୋଷେଇଶାଳ । ଏକଥା ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିବ । ଆପଣଙ୍କ ଭାବନା ହଜାର ହଜାର ବର୍ଷ ତଳକୁ ଚାଲି ଯାଉଥିବ । ଆପଣମାନେ ଭାବୁଥିବେ ଆମେ ପୂର୍ବ ପୁରୁଷଙ୍କ କଥା କୁହୁଛୁ । ହେଲେ ନାଁ, ଆମେ ବର୍ତମାନର କଥା କହୁଛୁ । ବ୍ରହ୍ମପୁର ସହରର ଗୃହିଣୀ ଶରିତା ପଣ୍ଡାଙ୍କ ରୋଷେଇ ଘରର କଥା କହୁଛୁ ।

ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଷ୍ଟିଲ, ତମ୍ବା ଓ ପିତଳ ବାସନ କୁସନ ରହିଥିବ । ହେଲେ ଶରିତାଙ୍କ ରୋଷେଇ ଘରେ ରହିଛି କେବଳ ମାଟି ପାତ୍ର । ମାଟିର ହାଣ୍ଡି, ମାଟିର କଡେଇ, ମାଟିର ଥାଳି, ମାଟିର କପ୍ ପ୍ଲେଟ୍ କେତେ କଣ । ରୋଷେଇ କରିବା ଠାରୁ ଆରମ୍ଭ କରି ଖିଆ, ପିଆ ସବୁ କିଛି କରନ୍ତି ଏହି ମାଟି ତିଆରି ବାସନ କୁସନରେ ।

ସାଧାରୁ ଆମିଷ, ଭାତରୁ ମାଛ ମାଂସ ତରକାରୀ, କ୍ଷୀର ଗରମ କରିବା ଠାରୁ ଚା’ କରିବା, ସବୁ କିଛି ଏମିତି ମାଟି ପାତ୍ରରେ ରୋଷେଇ କରନ୍ତି ଶରିତା । ଆଉ ଏ ସବୁ ମାଟି ପାତ୍ରକୁ କିଛି ବ୍ରହ୍ମପୁରରୁ କିଣିଥିବା ବେଳେ ଆଉ କିଛି ସାମଗ୍ରୀକୁ ସେ ରାଜ୍ୟ ବାହାରୁ ମଗାଇଥାନ୍ତି । ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟର ସ୍ୱାଦ ବହୁତ ଭଲ ହୁଏ ବୋଲି କୁହନ୍ତି ପରିବାର ସଦସ୍ୟ । ଏହି ପାତ୍ରକୁ ଯତ୍ନର ସହ ସାଇତି ରଖିବା ପାଇଁ ପଡେ । ଏଇ ଯେମିତି ଶରିତାଙ୍କ ରୋଷେଇ ଶାଳରୁ ଡ୍ରଇଁ ରୁମ୍ ସବୁଠି ସଜେଇ ହୋଇ ରହିଛି ମାଟିର ଘର କରଣା ସାମଗ୍ରୀ ।

Comments are closed.