ଛାତ୍ରୀଙ୍କ ତଣ୍ଟି କାଟିଦେଲେ ସହପାଠୀ । ଛାତ୍ରୀ ଜଣକ ହଷ୍ଟେଲ ରୁମରେ ଶୋଇଥିବାବେଳେ ଆକ୍ରମଣ

855

କନକ ବ୍ୟୁରୋ: ସହପାଠୀଙ୍କ ତଣ୍ଟି କାଟିଦେଲେ ଛାତ୍ରୀ । ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ମହିଳା ଛାତ୍ରାବାସରେ ଜଣେ ଛାତ୍ରୀ ନିଜ ସହପାଠୀଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି ।

ହଷ୍ଟେଲରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ସହପାଠୀ ତାଙ୍କ ତଣ୍ଟି କାଟିଦେଇଥିବା ପରିବାର ଲୋକେ କହିଛନ୍ତି । ସୂଚନା ଅନୁସାରେ ନାକିଚି ଅଂଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟି କୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ହଷ୍ଟେଲ କର୍ତୃପକ୍ଷ ଛାତ୍ରୀ ଜଣଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ହଷ୍ଟେଲରେ ପହଂଚି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଛାତ୍ରୀଙ୍କ ତଣ୍ଟି କାଟିଛି ସେ ନେଇ ଛାତ୍ରୀ ଜଣକ କିଛି କହିପାରୁନାହାନ୍ତି । ଅପରପକ୍ଷରେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିବା ପୁଲିସ ସନ୍ଦେହ କରୁଛି । ଉଭୟ ଦିଗରେ ତଦନ୍ତ କରୁଛି ପୁଲିସ ।