ଆସନ୍ତା ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ : ହଷ୍ଟେଲ ଖୋଲିବାକୁ ବି ପରାମର୍ଶ

81

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆସନ୍ତା ୧୫ ତାରିଖଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ। ଗଣଶିକ୍ଷା ବିଭାଗ ସମେତ ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ, ଏସଏସଇପିଡି ବିଭାଗ ଅଧୀନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ତଥା ଘରୋଇ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ। ପ୍ରାୟ ୧୯ ମାସ ପରେ ଉକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଠପଢ଼ା ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ଗୋଟାଏ ଯାଏ ଚାଲିବ। ଏହି ସମୟ ମଧ୍ୟରୁ ତିନି ଘଣ୍ଟା ପାଠପଢ଼ା ହେବ। ରବିବାର ଓ ଅନ୍ୟାନ୍ୟ ଛୁଟି ଦିନରେ ପାଠପଢ଼ା ବନ୍ଦ ରହିବ । ଗତ ଅକ୍ଟୋବର ୧୫ରେ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଅଭିଭାବକଙ୍କ ପରାମର୍ଶ ନେଇ ଛାତ୍ରଛାତ୍ରୀ ଅନ୍‌ଲାଇନ ଓ ଅଫ୍‌ଲାଇନରେ କ୍ଲାସ କରିପାରିବେ। ଅଫ୍‌ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ । ଏଥିସହ ସ୍କୁଲ ହଷ୍ଟେଲଗୁଡ଼ିକ ମଧ୍ୟ ଆସନ୍ତା ୧୫ ତାରିଖରୁ ଖୋଲିବ ।

ତେବେ ହଷ୍ଟେଲ ଖୋଲିବା ପୂର୍ବରୁ କ୍ୟାମ୍ପସ୍‌, ରୁମ୍‌, ବେଡଗୁଡ଼ିକ ଯେପରି ଭଲ ଭାବରେ ବିଶୋଧନ ହେବ ସେନେଇ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ସୁନିଶ୍ଚିତ କରିବେ । ସ୍କୁଲ ଖୋଲିବା ପୂର୍ବରୁ ଡିଇଓ, ଏଡିଇଓ, ବିଇଓ, ଏବିଇଓ, ବିଆର୍‌ସିସି, ସିଆର୍‌ସିସି ମାନେ ବିଦ୍ୟାଳୟ ପରିଦର୍ଶନ କରି କୋଭିଡ୍‌ କଟକଣାର ତଦାରଖ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସଆରସିଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି କୋଭିଡ୍‌ ଗାଇଡ୍‌ଲାଇନ ଯେପରି ପାଳନ କରାଯିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା। ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଓ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଛି। ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବାରୁ ଆଗକୁ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ଶିକ୍ଷା ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।