ଭାଙ୍ଗିଯାଇଛି ବିଦ୍ୟାଳୟ ଶ୍ରେଣୀଗୃହ । ଜୟପାଟଣା ମିଶନ ଶକ୍ତି ଗୃହରେ ପିଲାଏ ପଢୁଛନ୍ତି ପାଠ

66

କନକ ବ୍ୟୁରୋ : ୨୦୨୧ରୁ ବିଦ୍ୟାଳୟଟି ଭାଙ୍ଗି ଯାଇଛି । ମିଶନ ଶକ୍ତି ଓ ପିଇଓ କ୍ବାଟରରେ ଚାଲିଛି ପାଠପଢ଼ା । ଏମିତି ଚାଲିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାର ମଙ୍ଗଳପୁର କୋଲନିପଡ଼ାର ପ୍ରାଥମିକ ବିଦ୍ୟାଳୟ। ସ୍କୁଲରେ ସମୁଦାୟ ୫୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଗୋଟିଏ ଘରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଉଭୟ ପିଲା ଓ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏନେଇ ବହୁବାର ଅଭିଯୋଗ କରାଯାଇଛି । ହେଲେ ଏହାର କୌଣସି ସମାଧାନ ହୋଇପାରିନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ।

ସମ୍ବଲପୁରରେ ବୁଢାରଜା ହାଇସ୍କୁଲରେ ହୋଇଥିବା ରୂପାନ୍ତରଣ କାମରେ ଦୁର୍ନୀତି ଗନ୍ଧ। ପୁରୁଣା କାନ୍ଥରେ ନୂଆଁ ରଙ୍ଗ ମାରି ହୋଇଛି ରୂପାନ୍ତରଣ।୨ଟି ସ୍ମାର୍ଟ କ୍ଲାସ ରୁମ୍, ଗୋଟିଏ ସାଇନ୍ସ ଲାଇବ୍ରେରୀ ବାବଦରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ହେଲେ ବିଦ୍ୟାଳୟର ଯାହା ମୁଳ ଆବଶ୍ୟକତା ତା’ ନାହିଁ। ୫ଶହ ଛାତ୍ରଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି।ତାହା ପୂରଣ କରିବା ବଦଳରେ ଫାଇଭ-ଟି ନାଁରେ ଲକ୍ଷଲକ୍ଷ ଟଂକା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି।

କେବଳ ଏହି ଦୁଇଟି ବିଦ୍ୟାଳୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ବିଦ୍ୟାଳୟର ସ୍ଥିତି ସାଙ୍ଘାତିକ ରହିଛି । ସରକାରୀ ସ୍ତରରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ବିଦ୍ୟାଳୟର ଭିତିଭୂମି ସଜାଡିବା ସହ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।