ପ୍ରାୟ ଦେଢ଼ ବର୍ଷ ପରେ ଖୋଲିଲା ଷଷ୍ଠ, ସପ୍ତମ ଶ୍ରେଣୀ । କେବେ ଖୋଲିବ ପ୍ରଥମରୁ ପଞ୍ଚମ, ଚିନ୍ତାରେ ଅଭିଭାବକ । 

96

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି, ପ୍ରଥମରୁ ପଞ୍ଚମ କେବେ ଖୋଲିବ ସ୍କୁଲ । ବିଭିନ୍ନ ଶିକ୍ଷକ ସଂଘ ଓ ବିଶେଷଜ୍ଞ ମାନେ ମଧ୍ୟ ମତ ଦେଉଛନ୍ତି ପ୍ରାଥମିକ ଶିକ୍ଷା ଦୁର୍ବଳ ହୋଇଗଲେ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ହୋଇପାରେ । ଏବେ ସଂକ୍ରମଣ କମିଥିବାରୁ ସ୍କୁଲ ଖୋଲିବା ସପକ୍ଷରେ ମତ ଆସିଛି । ସେପଟେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଉପସ୍ଥାନ କମ ରହିଥିଲେ ବି ପାଠପଢା ଆରମ୍ଭ ହୋଇଛି । ଅନଲାଇନରେ ବି ଶିକ୍ଷାଦାନ ଜାରି ରହିବ ।

ଦୀର୍ଘଦିନ ବନ୍ଦ ରହିବା ପରେ ସ୍କୁଲରେ ଆରମ୍ଭ ହୋଇଛି ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । ଯଦିଓ ପ୍ରଥମ ଦିନରେ ଉପସ୍ଥାନ କମ ରହିଛି, କିନ୍ତୁ ପିଲା ଓ ଶିକ୍ଷକଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଖୋଲିଲା ଷଷ୍ଠ, ସପ୍ତମ…କେବେ ଖୋଲିବ ପ୍ରଥମରୁ ପଞ୍ଚମ? କରୋନା ଯୋଗୁଁ ଦେଢ଼ ବର୍ଷକୁ ଅଧିକ ଦିନ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠପଢ଼ା ଠପ୍ ହୋଇଯାଇଛି । ପ୍ରାଥମିକ ସ୍କୁଲରେ ଅନଲାଇନ୍ ପାଠପଢ଼ା ନାଁକୁ ମାତ୍ର । ଉପାନ୍ତ ଅଞ୍ଚଳର ସ୍ଥିତି ଆହୁରି ସାଂଘାତିକ ହେବାରେ ଲାଗିଛି । ଏହାକୁ ନେଇ ଚିନ୍ତାରେ ଅଭିଭାବକ ।

ସ୍କୁଲ ପରିବେଶରେ ଛୋଟ ଛୋଟ ପିଲାମାନଙ୍କର ଉଭୟ ବୈଦ୍ଧିକ ଓ ମାନସିକ ବିକାଶ ହୋଇଥାଏ । ସ୍କୁଲ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ପ୍ରାଥମିକ ସ୍କୁଲ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି ସରକାର । ତେବେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।

ପ୍ରାୟ ସାଢ଼େ ୩ ମାସ ହେବ, ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଓଡ଼ିଶାରେ ୪ କୋଟିରୁ ଅଧିକ ଡୋଜ୍ ଟିକା ବି ଦିଆଗଲାଣି । ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲେ ବି ସେଭଳି ସ୍ଥିତି ଦେଖାଯାଉନି । ତେଣୁ ସ୍କୁଲ ଖୋଲିବା ନେଇ ମତ ଦେଉଛନ୍ତି ବିଶେଷଜ୍ଞ ।