ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଗରେ ସବୁକିଛି ହାରମାନେ । ଏହାକୁ ପ୍ରମାଣ କରିଦେଖାଇଛନ୍ତି ଜଣେ କାଜୁ ବିକାଳିଙ୍କ ଝିଅ । ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗିତାରେ ସଫଳ ହୋଇ ଯୋଗ୍ୟ ବିବେଚିତ ହୋଇଛନ୍ତି ତାମିଲନାଡୁର ଝିଅ ଜୟଲକ୍ଷ୍ମୀ । ଜୟଲକ୍ଷ୍ମୀ ୨୦୨୦, ମେ ମାସରେ ନାସା ଯିବେ । କେବଳ ସେତିକି ନୁହେଁ ତାଙ୍କୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଯିବା ପାଇଁ ମଧ୍ୟ ସୁଯୋଗ ମିଳିବ । ସୂଚନାନୁସାରେ, ତାମିଲନାଡୁରେ ରହୁଥିବା ଜୟଲକ୍ଷ୍ମୀ ଅଦାନାକୋଟ୍ଟଈ ସରକାରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ । ଅର୍ଥାଭାବ ଯୋଗୁଁ ଘରେ ବିଜୁଳି ସଂଯୋଗ କରିବାକୁ ବି ପାଖରେ ଟଙ୍କା ନାହିଁ । ପରିବାର ଚଳାଇବାପାଇଁ ଏକମାତ୍ର ରୋଜଗାରିଆ ଝିଅ ଜୟଲକ୍ଷ୍ମୀ କାଜୁ ବିକ୍ରି କରି ଏବଂ ଟିଉସନ କରି ପରିବାରର ସମସ୍ତ ଖର୍ଚ୍ଚ ବହନ କରନ୍ତି । କେବଳ ଏତିକି ନୁହଁ ମା’ ସହ ମାନସିକ ଗ୍ରସ୍ତରେ ପୀଡିତ ଛୋଟ ଭାଇର ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ତୁଲାଉଛନ୍ତି । publive-image

Advertisment

ଥାମସେନଙ୍କ ଏକ ପୋଷ୍ଟରରୁ ତାଙ୍କୁ ନାସା ଯିବା ପାଇଁ ପ୍ରେରଣା ମିଳିଥିଲା । ଥାମସେନଙ୍କୁ ପୂର୍ବବର୍ଷ ନାସା ଯିବା ପାଇଁ ସୁଯୋଗ ମିଳିଥିଲା । ଏହା ପରେ ସେ ଅନଲାଇନରେ ଫର୍ମ ପକାଇଥିଲେ । କିନ୍ତୁ ଜୟଲକ୍ଷ୍ମୀଙ୍କୁ ଇଂରାଜୀ ଆସୁନଥିଲା । ଇଂରାଜୀ ଶିଖିବା ପାଇଁ ତାଙ୍କୁ ପାଖାପାଖି ଏକ ମାସ ସମୟ ଲାଗିଥିଲା । ଦିନ ରାତି ଏକ୍ କରି ସେ ଇଂରାଜୀ ଶିଖିଥିଲେ ଏବଂ ପରୀକ୍ଷାରେ ଗ୍ରେଡ-୨ ରଖି ନାସା ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଜୟଲକ୍ଷ୍ମୀଙ୍କୁ ନାସା ଯିବା ପାଇଁ ସୁଯୋଗ ତ ମିଳିଲା , କିନ୍ତୁ ଅର୍ଥ ସାଜିଲା ବାଧକ । ତାଙ୍କ ପକ୍ଷରେ ୧.୬୭ ଲକ୍ଷ ଟଙ୍କା ଯୋଗାଡ କରିବା ଥିଲା କଷ୍ଟସାଧ୍ୟ । ଏହି ଅର୍ଥରାଶି ତାଙ୍କୁ ୨୭ ଡିସେମ୍ବର ଯାଏଁ ଜମା କରିବାର ଥିଲା । ସୋସିଆଲ ମିଡିଆ ଜରିଆରେ ସେ ସାହାଯ୍ୟ ପାଇଁ ଅପିଲ କରିଥିଲେ । ଏଥି ସହିତ ଜୟଲକ୍ଷ୍ମୀଙ୍କ ଶିକ୍ଷକ ମଧ୍ୟ ତାଙ୍କ ପାସପୋର୍ଟର ବ୍ୟବସ୍ଥା କରାଇଦେଇଥିଲେ । ବର୍ତ୍ତମାନ ସମସ୍ତଙ୍କ ସାହାଯ୍ୟ ଓ ସ୍ନେହ ନେଇ ଜୟଲକ୍ଷ୍ମୀ ନାସା ଯିବାକୁ ପ୍ରସ୍ତୁତ ହେଲେଣି । ଭବିଷ୍ୟତରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଭଳି ରକେଟ୍ ନିର୍ମାଣ କରିବାକୁ ସେ ଆଶା ରଖିଛନ୍ତି । ସେ ତାଙ୍କ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।