ଆସନ୍ତାମାସରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ ! ମେ’ ଦ୍ୱିତୀୟ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବା ନେଇ ବୋର୍ଡ ସଭାପତିଙ୍କ ସୂଚନା

154

କନକ ବ୍ୟୁରୋ: ମେ’ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡ ସଭାପତି ଜାହାନାରା ବେଗମ ଏନେଇ ସୂଚନା ଦେଇଛନ୍ତି । ନିର୍ଭୁଲ ଫଳ ପ୍ରକାଶ କରିବା ପାଇଁ ଉଦ୍ୟମ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଶିକ୍ଷକଙ୍କ ଅସହଯୋଗ ସତ୍ୱେ ଚଳିତ ଥର ଖାତାଦେଖାରେ କୌଣସି ତ୍ରୁଟି ହୋଇନଥିବା କହିଛନ୍ତି ବୋର୍ଡ ସଭାପତି । ବିଭିନ୍ନ ଦାବି ନେଇ ଏଥର ମାଟ୍ରିକ ଖାତା ଦେଖା ବର୍ଜନ କରିଥିଲେ ଶିକ୍ଷକ ।

ସେପଟେ, ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ । ତେବେ ଖାତା ଦେଖାକୁ ବର୍ଜନ କରି ୪୮୮ ଓ ୬୬୨ ବର୍ଗ କଲେଜର ଅଧାପକମାନେ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଖିଳ ଓଡିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସଂଘ ମଧ୍ୟ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ବର୍ଜନ କରିିଛନ୍ତି । ଗତ ମାର୍ଚ୍ଚ ୩୧ ତାରିଖରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିନଥିବାରୁ ଖାତା ଦେଖାକୁ ବର୍ଜନ କରାଯାଉଛି ବୋଲିି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏକାଥରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡିକର ଖାତା ଇ-ମୂଲ୍ୟାୟନ ହେବ ଏବଂ କଳା ବିଭାଗର ଖାତା ଗୁଡିକ ମାନୁଆଲ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟରେ ୪ରୁ ୧୪ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧୬ରୁ ୨୬ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବ । ତେବେ ଖାତା ଦେଖା ପାଇଁ ବିକଳ୍ପ ବ୍ୟବସ୍ଥା କରିଛନ୍ତି ସରକାର ।