କେମିତି ହେବ ମାଟ୍ରିକ ପରୀକ୍ଷା? ସମାଲୋଚନା ପରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ; ସ୍କୁଲ ଖୋଲିବା ପରେ ନିଆଯିବ ନିଷ୍ପତି

ଅନିଶ୍ଚିତତା ଭିତରେ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

239

କନକ ବ୍ୟୁରୋ: ମହାମାରୀ କରୋନା ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦ୍ୱନ୍ଦ୍ୱ ଭିତରକୁ ଠେଲି ହୋଇ ଯାଇଛି । ଏସବୁ ଭିତରେ ପାଠପଢ଼ା ହୋଇନଥିବାରୁ ୨୦୨୧ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ସରକାର । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେବେ ଫର୍ମ ପୂରଣ, ସେନେଇ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦୨୧ ମାଟ୍ରିକ୍ ପରୀକ୍ଷା ପାଇଁ ୯ ତାରିଖରୁ ଫର୍ମ ପୂରଣ କରିବାକୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଦିନଟିଏ ସ୍କୁଲ ଖୋଲିନଥିବା ବେଳେ, ଏପରି ବିଜ୍ଞପ୍ତିକୁ ନେଇ ଚାରିଆଡୁ ସମାଲୋଚନା କରାଯାଇଥିଲା । ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ‘ଓଷ୍ଟା’ ମଧ୍ୟ ଏହାକ୍ୁ ବିରୋଧ କରିଥିଲା ।

ଏହାପରେ ଫର୍ମ ପୂରଣ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଫର୍ମ ପୂରଣ ସ୍ଥଗିତ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ କେବେ ଫର୍ମ ପୂରଣ ହେବ, ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶ କ୍ରମେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
କରୋନା ସଂକଟ ଭିତରେ ସିବିଏସଇ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଫର୍ମ ଫିଲପ କରାଯିବା ସହ ଅନ୍ଲାଇନ୍ କ୍ଲାସରେ ପିଲାଙ୍କ ପାଠପଢ଼ା ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ସ୍କୁଲଗୁଡିକରେ ଚଳିତ ଶିକ୍ଷାବର୍ଷର ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି । ନା’ ଅନଲାଇନ କ୍ଲାସ ଠିକ୍ ଭାବେ ହୋଇପାରୁଛି, ନା’ ସ୍କୁଲ ଖୋଲିବା ନେଇ ସରକାର କିଛି ନିଷ୍ପତି ନେଇ ପାରୁଛନ୍ତି । ଗୋଟିଏ ପଟେ ପିଲାଙ୍କ ପାଠପଢ଼ା, ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ନେଇ ଦ୍ୱନ୍ଦ୍ୱ ଭିତରେ ପଡିଛନ୍ତି ସରକାର । ଏପଟେ ପାଠପଢ଼ା କିପରି ହେବ, ପରୀକ୍ଷା କିପରି ହେବ ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ କିଛି ପ୍ରସ୍ତାବ ରଖିଛି ଅଭିଭାବକ ସଂଘ ।

• ଅଭିଭାବକ ସଂଘର ପ୍ରସ୍ତାବ

• ୨୦୨୧ ଜାନୁୟାରୀ ପ୍ରଥମ ସପ୍ତାହରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ କରାଯାଉ

• ଜୁଲାଇରେ ପରୀକ୍ଷା ଓ ଅଗଷ୍ଟରେ ପରୀକ୍ଷା ଫଳ ପ୍ରକାଶ ପାଉ

• ସେପ୍ଟେମ୍ବରରେ ପରିବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ହେଉ

• ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପ୍ରମୋସନ୍ ଦିଆଯାଉ

କରୋନା ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ର/ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେପଟେ ସ୍କୁଲ ଖୋଲିବାର ଚୂଡ଼ାନ୍ତ ତାରିଖ ଘୋଷଣା ପରେ ମାଟ୍ରିକ ଫର୍ମ ଫିଲପ୍ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ କାଟଛାଂଟ କରି ନୂଆ ଢାଂଚାରେ ପରୀକ୍ଷା କରିବାକୁ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।