ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

665

କନକ ବ୍ୟୁରୋ : ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଯେତେବେଳେ ହିଁ ପରୀକ୍ଷା ହେବ ଅଫଲାଇନରେ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦଶମ ଓ ଦ୍ୱାଦଶ ପରୀକ୍ଷା ଅଫଲାଇନରେ ହେବା ନେଇ ସିବିଏସଇ ନିଷ୍ପତି ନେଇଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନରେ ହିଁ ପରୀକ୍ଷା ହେବ । ପରୀକ୍ଷା ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ଶିକ୍ଷାଦାନ ଦିଆଯିବ । ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କରୋନା ପାଇଁ ଦୋହଲିଯାଇଛି ଶିକ୍ଷା ବ୍ୟବସ୍ଥା । ମହାମାରୀ ମହାସଂକଟ ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି । ସେହିଭଳି କରୋନା କାଳରେ ପିଲାଙ୍କ ପାଠପଢାରେ ଯେଭଳି କୌଣସି ପ୍ରକାରର ପ୍ରଭାବ ନପଡିବ ଏଥିପାଇଁ ରାଜ୍ୟରେ ସରକାରଙ୍କ ତରଫରୁ ଅନଲାଇନ ପାଠପଢା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଛି । ହେଲେ ପିଲା ନା ମୋବାଇଲରେ ପାଠପଢି ପାରୁଛନ୍ତି ନା ସେମାନଙ୍କୁ ମନିଟରିଂ କରିପାରୁଛନ୍ତି ଶିକ୍ଷକ । ଅନଲାଇନରେ ସମସ୍ତଙ୍କୁ ଏକାଠି କରିବା କଷ୍ଟସାଧ୍ୟ ହୋଇପଡିଛି ।

ଅନ୍ୟପକ୍ଷରେ ସ୍କୁଲ ଫି ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି , ସ୍କୁଲ ଫି ନେଇ ରାଜ୍ୟର କୌଣସି ନୀତି ନାହିଁ। ତାହା ହିଁ ଆମେ ହାଇକୋର୍ଟରେ କହିଛୁ । କେବଳ କୋଭିଡ ପାଇଁ ସ୍ୱତନ୍ତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।