କନକ ବ୍ୟୁରୋ : ପାଠ ପଢି ବଡ ମଣିଷ ହେବାର ସ୍ୱପ୍ନ ସମସ୍ତଙ୍କ ମନରେ ଥାଏ । ଆଉ ଏମିତି କିଛି ଦେଖିଥିଲେ କେରଳର ୧୬ ବର୍ଷିୟ ବାଳକ ବି.ଆର ସାରଙ୍ଗା ନିଜ ସ୍ୱପ୍ନ ପୂରଣ କରିବାକୁ ଯାଇ ମନ ଲଗାଇ ଖୁବ ପାଠ ପଢିଥିଲେ, ଆଉ ଦଶମ ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ଫଳ ବାହାରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ କେହି କେବେ ବି ଭାବି ନଥିଲେ । ଏକ ସଡକ ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ପରପାରିକୁ ଚାଲିଯାଇଥିଲେ ସାରଙ୍ଗ । ରେଜଲ୍ଟ ବାହାରିଲା ଏ+ ଗ୍ରେଡ ରଖି ଟପ୍ପର ହେଲେ ସାରଙ୍ଗ । ହେଲେ ଏହି ଖୁସିର ମୁହୂର୍ତ୍ତକୁ ସେ ଉପଭୋଗ କରିପାରିଲେନି । ଆଉ ନିଜ ସ୍ୱପ୍ନକୁ ବି ପୂରଣ କରିପାରିଲେନି ।
କେରଳ ବଞ୍ଚିପୁର ନିବାସୀ ବିନିଶ କୁମାର ଓ ରଜନୀଙ୍କ ପୁଅ ହେଉଛନ୍ତି ସାରଙ୍ଗ । ସେ ଜଣେ ମେଧାବୀ ଛାତ୍ର ହେବା ସହ ଜଣେ ପ୍ରତିଭାବାନ ଫୁଟବଲ ଖେଳାଳୀ ମଧ୍ୟ ଥିଲେ । ସାରଙ୍ଗ ଅନ୍ତିଗଲ ସରକାରୀ ବାଳକ ବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ମେ ୬ ତାରିଖରେ ମା ଙ୍କ ସହ ଅଟୋରେ ଯାଉଥିବା ସମୟରେ କୁନ୍ନାଥୁକୋନମ ବ୍ରିଜ ପାଖରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣା ପରେ ସେ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ସେ ଫୁଟବଲ ଖେଳିବା ପାଇଁ ଜୋତା କିଣିବାକୁ ଇଚ୍ଛା କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା, ଚିକିତ୍ସାଧିନ ତାଙ୍କର ମୃତ୍ୟୁ ହୋଇଥିଲା । ନିଜ ମେଧାବୀ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ବାପା ମା ।
କେରଳ ଶିକ୍ଷାମନ୍ତ୍ରୀ ପ୍ରେସ କନଫରେନ୍ସରେ ଦଶମ ରେଜଲ୍ଟ ଘୋଷଣା କରିବା ସମୟରେ ଭାବୁକ ହୋଇଯାଇଥିଲେ । ସେ ଯେତେବେଳେ କହିଥିଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାରଙ୍ଗ ଏ+ ଗ୍ରେଡ ହାସଲ କରିଛନ୍ତି ସେତେବେଳେ ତାଙ୍କ ଆଖିରେ ଲୁହ ଚାଲି ଆସିଥିଲା ।
ନିଜ ମୃତ ପୁଅକୁ ଅନ୍ୟମାନଙ୍କ ଶରୀରରେ ଦେଖିବା ପାଇଁ ବାପା ମା ସାରଙ୍ଗଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ତାଙ୍କର ଏହି ନିଷ୍ପତ୍ତି ସବୁଦିନ ପାଇଁ ସାରଙ୍ଗଙ୍କୁ ଅମର କରିଦେଲା । ସାରଙ୍ଗଙ୍କ ଅଙ୍ଗଦାନ ଯୋଗୁଁ ୬ ଜଣ ନୂଆ ଜୀବନ ପାଇଲେ । ତାଙ୍କ ଆଖି, ହାର୍ଟ, ଲିଭର, ବୋନ ମାରୋ ଦାନ କରିଦେଇଛନ୍ତି ତାଙ୍କ ବାପା ମା । ସାରଙ୍ଗ ହାର୍ଟ ଏକ ଛୋଟ ଛୁଆ ଦେହରେ ପ୍ରତ୍ୟାରୋପଣ କରାଯାଇଥିଲା । ସମସ୍ତ ଅଙ୍ଗ ପ୍ରତ୍ୟାରୋପଣ ପରେ ତାଙ୍କ ପରିବାରକୁ ସାରଙ୍ଗଙ୍କ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା । ସାରଙ୍ଗ ସିନା ଚାଲିଗଲେ ହେଲେ ସେ ଆଜି ଅନେକଙ୍କ ଶରୀରରେ ଅମର ହୋଇ ରହିଗଲେ । ସତରେ ତାଙ୍କ ବାପା ମାଙ୍କ ଏଭଳି ନିଷ୍ପତ୍ତି ସମାଜ ପାଇଁ ଏକ ବଡ ଉଦାରଣ ହୋଇ ରହିବ ।