କନକ ବ୍ୟୁରୋ: ଏଣେ ମାଟ୍ରିକ ପରୀକ୍ଷା ଚାଲିଛି । ତେଣେ ଛାତ୍ର ୨୬ ଦିନ ହେଲା ନିଖୋଜ । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ରିଷିପୁର ଗ୍ରାମର କୈଳାସ ଡାକୁଆଙ୍କ ସାନ ପୁଅ ତଥା ମାଟ୍ରିକ ପରୀକ୍ଷାର୍ଥୀ ସମୀର ଡାକୁଆ ଏବେ ନିଖୋଜ । ସେ ଗମେଟ୍ ୟୁ.ଜି ହାଇସ୍କୁଲ ରିଷିପୁରରେ ଦଶମ ଶ୍ରେଣୀରେ ଛାତ୍ର । ଗତ ଜାନୁଆରୀ ୨୬ ତାରିଖରେ ସେ ସ୍କୁଲକୁ ଯାଇଥିଲେ । ସ୍କୁଲରୁ ଆସିବା ପରେ ଗାଁର ଦୁଇ ଜଣ ତାଙ୍କୁ ଡାକି ବାଇକରେ କେଉଁ ଆଡେ ନେଇ ଯାଇଥିଲେ । ତାପରେ ସେ ଘରକୁ ଫେରିନାହାନ୍ତି ।

ଅନେକ ଖୋଜାଖୋଜି ପରେ ସମୀରଙ୍କର କୌଣସି ପତ୍ତା ନମିଳିବା ପରେ ଶେଷରେ ୨୭ ଜାନୁଆରୀରେ ସମୀରଙ୍କ ଜେଜେ ବାପା ଆସିକା ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ହେଲେ ଏଯାଏ ତାଙ୍କର କୌଣସି ପତା ମିଳିନି । ସମୀରଙ୍କ ମାଙ୍କ ଦେହ ଖରାପ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସମୀରଙ୍କ ବାପା ଓ ମା ବାହାରେ ରୁହନ୍ତି । ସେ ତାଙ୍କ ଜେଜେ ବାପା, ମାଙ୍କ ସହ ରହୁଥିଲେ । ପୁଅ ନିଖୋଜ ହେବାର ଖବର ଜାଣିବା ପରେ ବାପା ଓ ମା’ ବ୍ୟସ୍ତ ହୋଇ ଗାଁ କୁ ଆସି ଏବେ ନିକଟ ଦୁର ସମ୍ପର୍କିୟ ସମସ୍ତ ଘରକୁ ଯାଇ ଓ ବିଭିନ୍ନ ଗାଁ କୁ ଯାଇ ସମୀରକୁ ଖୋଜୁଛନ୍ତି । ପୋଲିସ ମଧ୍ୟ ଏଯାଏ କୌଣସି ପ୍ରମାଣ ମିଳିନାହିଁ ।