ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

331

କନକ ବ୍ୟୁରୋ : ମାଡ଼ି ଚାଲିଛି କରୋନା। ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ ଥିଲେ । କ’ଣ ହେବ ପିଲାଙ୍କ ଭବିଷ୍ୟତ ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିବ ନାହିଁ ତ ? ଘୋଷଣା ହୋଇଥିବା ତାରିଖରେ ପରୀକ୍ଷା ହୋଇପାରିବ ନା ନାହିଁ ? ଗତଥର ପରି ଏଥର ବିଳମ୍ବିତ ହେବ ନାହିଁ ତ ? ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଯାହା ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ୯ମ ପରୀକ୍ଷା ନେଇ ସରକାର ଆଲୋଚନା କରୁଛନ୍ତି । ଯେହେତୁ ନବମ ଶ୍ରେଣୀ ବନ୍ଦ ରହିଛି, ତେଣୁ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଲୋଚନା ଜାରି ରହିଛି । ପରୀକ୍ଷା ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ।

ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖରୁ ମେ’ ୮ ମଧ୍ୟରେ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମେ’ ୧୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପ୍ରସ୍ତୁତି ଚଳାଇଛି । ତେବେ ହଠାତ୍‌ କୋଭିଡ୍‌-୧୯ ସ୍ଥିତି ଭୟଙ୍କର ରୂପ ନେବା ପରେ ପରିଷଦ ଏବେ ଦୋଛକିରେ ପଡ଼ିଛି । କିଭଳି ଭାବେ ପରୀକ୍ଷା ପରିଚାଳନା ହେବ ତାହାକୁ ନେଇ ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରିଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସିବିଏସ୍‌ଇ ପକ୍ଷରୁ ପରବର୍ତୀ ସମୟରେ ପ୍ରାକ୍ଟିକାଲ ପରୀକ୍ଷା ଦେବା ଲାଗି ସୁଯୋଗ ଦିଆଯାଇଛି । ତେଣୁ ସିଏଚ୍‌ଏସ୍‌ଇ ମଧ୍ୟ ସମାନ ପନ୍ଥା ଆପଣାଇବ । ଏପ୍ରିଲ ୨୯ରୁ ମେ’ ୮ ମଧ୍ୟରେ ଯେଉଁମାନେ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କ ଲାଗି ପରବର୍ତୀ ସମୟରେ ସୁଯୋଗ ଦେବାକୁ ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ।