କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି । ଏବଂ ପରୀକ୍ଷାର୍ଥୀଙ୍କୁ ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ପଡିବ ନାହିଁ ବୋଲି କହିଛନ୍ତି । ସାରା ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଆରମ୍ଭ କରାଯାଇଛି ।

Advertisment

ସେହି ନୂଆ ନୀତି ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ବର୍ଷରେ ଦୁଇଥର ପରୀକ୍ଷା ହେବ ବୋଲି ନିୟମ ରହିବା ପରେ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ଏପରି ଏକ ମନ୍ତବ୍ୟ ରଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ବିକଳ୍ପ ପ୍ରକ୍ରିୟା ହେବ । ଏହାର ମୁଖ୍ୟ କାରଣ ହେଉଛି ବୋର୍ଡ ପରୀକ୍ଷା ବିଷୟରେ ଛାତ୍ରଛାତ୍ରୀଙ୍କ ଭୟ ଏବଂ ଚାପକୁ ହ୍ରାସ କରିବା । ନିକଟରେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନୂଆ ପାଠ୍ୟ ଖସଡା ଢାଞ୍ଚା ବା ଏନସିଏଫ ଆଧାରରେ ବର୍ଷକରେ ଦୁଇ ଥର ପରୀକ୍ଷା କରିବାକୁ ଘୋଷଣା ହୋଇଥିଲା ।

ପରୀକ୍ଷା ବ୍ୟବସ୍ଥାରେ ପରିବର୍ତନ ଏବଂ ପରୀକ୍ଷାକୁ ପାଠ୍ୟକ୍ରମ ଭିତିକ କରିବା ଲାଗି ଏନସିଏଫ ଏପରି ବ୍ୟବସ୍ଥା କରିଛି । କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି, ଅନେକ ସମୟରେ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ନିଷ୍ପତିକୁ ନେଇ ନିରାଶ ହୋଇପଡନ୍ତି । କୌଣସି କାରଣରୁ ଭଲ ଫଳାଫଳ ନହେଲେ ନିରାଶ ହୋଇପଡନ୍ତି । ଏବେ କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ଦ୍ୱିତୀୟ ଥର ପରୀକ୍ଷା ଦେଇ ନିଜର ମାର୍କ ଭଲ କରିବାକୁ ଚେଷ୍ଟା କରିପାରିବ ।