କନକ ବ୍ୟୁରୋ : କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗାଡି ଉପରକୁ ଆକ୍ରମଣ । ରୋଡ ସୋ ଚାଲିଥିବା ବେଳେ ଅମିତଙ୍କ ଗାଡି ଉପରକୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । ରୋଡ ସୋ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ଅମିତ ଶାହ ଗାଡି ଉପରକୁ ପଥର ଓ ବାଡି ଫୋପାଡିଥିଲେ ଆକ୍ରମଣକାରୀ ।
ପୋଲିସ ଆକ୍ରମଣକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିଚାର୍ଜ କରିଛି । ଏସବୁ ଭିତରେ କିଛି ଗାଡିରେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ବେଳେ ପଥର ମାଡ କରିବାକୁ ପଛାଇନଥିଲେ । ପୋଲିସ ପରିସ୍ଥିତିକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି । ଏହି ଆକ୍ରମଣରେ କିଛି ବ୍ୟକ୍ତି ଆହତ ହୋଇଛନ୍ତି । ଯେଉଁଁମାନଙ୍କ ମଧ୍ୟରେ କିଛି ସାମ୍ବାଦିକ ମଧ୍ୟ ରହିଛନ୍ତି ।
#WATCH: Visuals after clashes broke out at BJP President Amit Shah's roadshow in Kolkata. #WestBengalpic.twitter.com/laSeN2mGzn
— ANI (@ANI) May 14, 2019
ଶାହଙ୍କ ରୋଡ ସୋରୁ ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳକୁ କାବୁ କରିବା ପାଇଁ ଅତିରିକ୍ତ ସୁରକ୍ଷା ବଳକୁ ନିୟୋଜିତ କରାଯାଉଛି । ଅମିତ ଶାହଙ୍କ ଗାଡି ଉପରକୁ ଆକ୍ରମଣ ପଛରେ ତୃଣମୁଳ କଂଗ୍ରେସ ଓ ବାମ ଦଳର ଛାତ୍ର ସଙ୍ଗଠନର ହାତ ରହିଛି । କାରଣ ଏହି ଘଟଣା କୋଲକାତାର ବିଦ୍ୟା ସାଗର କଲେଜ ସାମ୍ନାରେ ହୋଇଛି । ଏପରିକି ରୋଡ ସୋର ଶେଷ ସମୟରେ ଛାତ୍ର ସଙ୍ଗଠନର ଛାତ୍ର ନେତା ମାନେ ଅମିତ ଶାହଙ୍କୁ କଳା ପତାକା ଦେଖାଇବା ସହ ଫେରିଯାଅ ବୋଲି ସ୍ଲୋଗାନ ଦେଇଥିଲେ ।
ଏହାପୂର୍ବରୁ ଆଜି ଅମିତ ଶାହଙ୍କ ଆସିବା ପୂର୍ବରୁ ସଭାସ୍ଥଳରେ କୋଲକାତା ପୋଲିସ ପହଞ୍ଚି ବିଜେପି ନେତାଙ୍କୁ ଷ୍ଟେଜର ଅନୁମତି ପତ୍ର ମାଗିଥିଲା । ଅନୁମତି ପତ୍ର ନ ମିଳିବା କାରଣରୁ ଷ୍ଟେଜକୁ ଭାଙ୍ଗି ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏପରିକି ରାସ୍ତା କଡରେ ଥିବା ଶାହ ଓ ମୋଦିଙ୍କ ପୋଷ୍ଟରକୁ ମଧ୍ୟ ହଟାଇ ଦେଇଥିଲା ପୋଲିସ ।