କନକ ବ୍ୟୁରୋ : କିଟ୍ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣା ପରେ ସୁରକ୍ଷା ଦୃଷ୍ଟି କୋଣରୁ ଉତେଜନା ଦ୍ୱାରା ପ୍ରଭାବିତ ହୋଇଥିବା ଦୁଇଟି ହଷ୍ଟେଲକୁ ଖାଲି କରାଯାଇଛି । ଗତକାଲି ଗଣ୍ଡଗୋଳରେ ଆହତ ହୋଇଥିବା କିଛି ଛାତ୍ରଙ୍କୁ ଫାଷ୍ଟଏଡ୍ ପରେ ଛାଡି ଦିଆଯାଇଛି । ତେବେ କିଟ୍ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇନାହିଁ କିମ୍ବା ସେଠାରେ ସାଇନ ଏ ଡାଏ ଘୋଷଣା କରାଯାଇନାହିଁ । ବିଭିନ୍ନ ବିଭାଗରେ ସାଧାରଣ ଭାବେ କ୍ଲାସ ଜାରି ରହିଛି ବୋଲି କିଟ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
କମେଂଟମରାକୁ କେନ୍ଦ୍ର କରି ଗତ ସନ୍ଧ୍ୟାରେ କିଟ୍ ଲ କଲେଜରେ ତୁମୁଳକାଣ୍ଡ ଘଟିଥିଲା । ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପ୍ରବଳ ମାରପିଟ୍ ହେବାରୁ କିଛି ଛାତ୍ର ଗୁରୁତର ଆହତ ହୋଇଥିଲେ । ୨ଦିନ ତଳେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଜଣେ ତୃତୀୟ ବର୍ଷର ଛାତ୍ର କମେଂଟ ମାରିଥିଲେ । ଏହାକୁ ନେଇ ୨ଦିନ ଧରି କ୍ୟାମ୍ପସରେ ଉତେଜନା ଲାଗି ରହିଥିଲା । କର୍ତୁପକ୍ଷଙ୍କ ହସ୍ତକ୍ଷେପ ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ଗତ ସନ୍ଧ୍ୟାରେ ପୁଣି ଥରେ ସେହି ପୂର୍ବ ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ ।