ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦିଲ୍ଲୀରେ ତୁମୁଳକାଣ୍ଡ । ଜାହାଙ୍ଗୀରପୁରାରେ ପଥର ମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।

134

କନକ ବ୍ୟୁରୋ : ଦିଲ୍ଲୀରେ ହନୁମାନ ଜୟନ୍ତୀରେ ହିଂସାକାଣ୍ଡ । ଦିଲ୍ଲୀର ଜାହାଙ୍ଗୀରପୁରା ଅଂଚଳରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ଅଘଟଣ ଘଟିଛି । ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥର ମାଡ ହୋଇଛି । ଯାହାକୁ ନେଇ ଜାହାଙ୍ଗୀରପୁରା ଅଂଚଳରେ ଉତ୍ତେଜନା ବଢିଥିଲା ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ଟେକା ମାଡ କରିଥିଲେ । ରାସ୍ତାରେ ଥିବା ଗାଡି, ବାଇକ ଭଙ୍ଗା ରୁଜା କରିବା ସହ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ପୁଲିସ କର୍ମଚାରୀ ସମେତ ଶୋଭାଯାତ୍ରାରେ ସାମିଲ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଜଗଜୀବନ ରାମ ହସ୍ପିଟାଲରେ ଭର୍ତି କରାଯାଇଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଛି । ଏଥିସହ ଉଭୟ ପକ୍ଷର ବୟୋଜ୍ୟୋଷ୍ଠ ଲୋକଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇ ପୁଲିସ ଚାପା ଉତେଜନାକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ କମିସନରଙ୍କ ସହ ଘଟଣାକୁ ନେଇ ଆଲୋଚନା କରିଛନ୍ତି । ସେପଟେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିନ୍ଦା କରିଛନ୍ତି ।