ସାଂଘାତିକ ରୂପନେଲା ସିଟି ହସ୍ପିଟାଲ ଦାବି । ରାସ୍ତା ମଝିରେ ପୁଲିସ-ଜନତା ମୁହାଁମୁହିଁ । ହସ୍ପିଟାଲ ଦାବିରେ ଠେଲାପେଲା, ପଥରମାଡ଼ । ମୁଖ୍ୟ ଡାକ୍ତରଖାନା ଆଗରେ ହଜାର ହଜାର ଲୋକଙ୍କ ଧାରଣା

215

କନକ ବ୍ୟୁରୋ: ବରଗଡ଼ ସହରରୁ ଦିନସାରା ଯେଉଁ ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଥିଲା ତାହା ପ୍ରମାଣ କରୁଛି, ସିଟି ହସ୍ପିଟାଲ ଦାବିରେ ହେଉଥିବା ଆନ୍ଦୋଳନ ଏବେ କେଉଁ ସ୍ଥରରେ ପହଂଚିଛି । ପୁଲିସ୍ ଜନତା ଉପରେ ପଥର ମାଡ଼ କରୁଛି, ଜନତା ପୁଲିସ୍ ଉପରେ ପଥର ମାଡ଼ କରୁଛନ୍ତି । ଆଉ ଏହି ଖଣ୍ଡ ଯୁଦ୍ଧର ଶୁତ୍ରପାତ ହୋଇଥିଲା, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସାମ୍ନାରୁ, ଯେତେବେଳେ ବରଗଡ଼ ସହରରେ ସିଟି ହସ୍ପିଟାଲ ଦାବିରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରୁଥିଲେ । ଆଉ ସ୍ଥିତି ନିୟନ୍ତ୍ରଣ କରିବାକୁ ପହଂଚିଥିଲା ପୁଲିସ୍ । ଠିକ୍ ଏତିକି ବେଳେ ଠେଲାପେଲାରୁ ଆରମ୍ଭ ହୋଇଥିଲା ଏହି ଖଣ୍ଡ ଯୁଦ୍ଧ ।

ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଭଟଲି ବ୍ଲକ୍ ଟୁକୁର୍ଲ୍ଲାକୁ ସ୍ଥାନାନ୍ତର ନେଇ ନିଷ୍ପତି ହେବା ପରେ ଏହାକୁ ନେଇ ବରଗଡ଼ରେ ଜାରି ରହିଛି ଅସନ୍ତୋଷ । ଆଉ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବଦଳରେ ସହର ଭିତରେ ଏକ ସିଟି ହସ୍ପିଟାଲ ଦାବିରେ ୪ ଦିନ ହେଲା ଲୋକେ ପ୍ରତିବାଦ କରୁଥିଲେ । ଯେଉଁଠି ରାସ୍ତା ରୋକ୍ ତ ଆଉ କେଉଁଠି ଟାୟର ଜାଳି ପ୍ରତିବାଦ କରୁଥିଲେ । ଆଉ ଆଜି ହଜାର ହଜାର ଲୋକ ଡାକ୍ତରଖାନା ସାମ୍ନାରେ ପ୍ରତିବାଦ କରିବା ବେଳେ ସାମ୍ନାକୁ ଆସିଥିଲା ଏଭଳି ଏକ ଅଭାବନୀୟ ଚିତ୍ର । ଏମିତି କି ଏହି ମୁହାମୁହିଁ ବେଳେ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା ।

ପ୍ରଶ୍ନ ହେଉଛି-
-ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର ହୋଇଯିବା ପରେ ସହରବାସୀ ଚିକିତ୍ସା ସେବା ପାଇବେ କେମିତି?
-ନିୟମିତ ଚିକିତ୍ସା ପାଇଁ ବରଗଡ଼ ସହରବାସୀ ପ୍ରତିଦିନ ୧୪ କିଲୋମିଟର ଟୁକୁର୍ଲ୍ଲା ଯିବେ କାହିଁକି?
-ପ୍ରାୟ ଦେଢ଼ ଲକ୍ଷ ସହରବାସୀଙ୍କ ଚିକିତ୍ସା ପାଇଁ ବିକଳ୍ପ ହସ୍ପିଟାଲ ହେବାରେ ଅସୁବିଧା କ’ଣ?