‘କାଳିଆ’ ପାଇଁ ସ୍ପଷ୍ଟୀକରଣ । ୩ ମାସ ମଧ୍ୟରେ ୯୯ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସରକାରଙ୍କର ସବୁଠୁ ବଡ ସଫଳତା, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫେରସ୍ତ ନିଆଯିବ ଟଙ୍କା ।

1,085

କନକ ବ୍ୟୁରୋ : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ଅଣାଯିବ । ଏଥିପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତିି ମୁଖ୍ୟମନ୍ତ୍ରୀ । ଗତକାଲି କୃଷିମନ୍ତ୍ରୀ କହିଥିଲେ, ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି । ତେବେ ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି ।ଆଉ ଏସବୁ ଭିତରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କାଳିଆକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ।

କାଳିଆ ଯୋଜନାରେ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ପଠାଯାଇଛି । ତିନି ମାସ ମଧ୍ୟରେ ଏହି ଡାଟାବେସ ପ୍ରସ୍ତୁତ କରାଯାଇ କାଳିଆ ଟଙ୍କା ଦିଆଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଦରଖାସ୍ତକୁ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୧.୧୯ କୋଟି ଦରଖାସ୍ତ ମଧ୍ୟରୁ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା ।

ତେବେ ଏହି ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧ ଶତକଡାରୁ କମ ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ମୋଟ ୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩୨୦୦୦ ହଜାର ଜଣ ସରକାରୀ କର୍ମଚାରୀ/ପେନସେନ ଭୋଗୀ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏହି ୩୨୦୦୦ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ କିଛି ବଡ ଚାଷୀ ମଧ୍ୟ ରହିଛନ୍ତି ।

୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩ ଲକ୍ଷ ଏମିତି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ଯେଉଁମାନଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି । ଯେଉଁଥିରେ କିଛି ନାବାଳକ ଓ ନାବାଳିକା ମଧ୍ୟ ରହିଛନ୍ତି । କିନ୍ତୁ ସେମାନଙ୍କୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ କରିନାହାନ୍ତି ସରକାର । ତେବେ କାଳିଆ ଯୋଜନାରେ ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ସହାୟତା ପାଇପାରିବେ । ତେଣୁ ଏଭଳି କ୍ଷେତ୍ରରେ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟ ଭାବେ ଗ୍ରହଣ କରାଯାଇ ଅନ୍ୟ ସଦସ୍ୟ ପାଇଥିବା ଟଙ୍କାକୁ ପରବର୍ତ୍ତୀ କିସ୍ତି ଭାବେ ଧରାଯିବ ।

କାଳିଆ ଯୋଜନାକୁ ଚାରିଆଡୁ ପ୍ରଂଶସା କରାଯାଉଥିବା ବେଳେ ଏଥିରେ ଜନସାଧାରଣ ମାନେ ସିଧାସଳଖ ଭାଗ ନେଇଛନ୍ତି । ଏପରିକି ଏହି ଯୋଜନାର ମାପଦଣ୍ଡ ଜାଣିବା ପରେ ପ୍ରାୟ ୧ ଲକ୍ଷ ବ୍ୟକ୍ତି ତାଲିକାରୁ ନାଁ ବାଦ୍ ଦେବାକୁ ନାଲି ଫର୍ମ ଦେଇଛନ୍ତି । ୨ ହଜାରରୁ ଅଧିକ ହିତାଧିକାରୀ ସ୍ୱତଃପ୍ରବୃତ ଭାବେ ଟଙ୍କା ଫେରାଇବାକୁ ଆବେଦନ କରିଛନ୍ତି । ସବୁଠୁ ବଡ କଥା ହେଲା, ଏହି ଯୋଜନାରେ ୯୯ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ସଫଳତା ।

Comments are closed.