ବଢ଼ୁଛି ରେଞ୍ଜ ରୋଭର କାର ମାଲିକଙ୍କ ଅଡୁଆ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି

349

କନକ ବ୍ୟୁରୋ: ରାଜଧାନୀ ପାୱାରହାଉସ ଛକ ଦୁର୍ଘଟଣାକୁ ୬ ଦିନ ବିତିଲାଣି । ଦୁର୍ଘଟଣାର ଶିକାର ହୋଇଥିବା ଜଗତସିଂହପୁରର ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ଘଟିଛି । ହେଲେ ଏହି ମାମଲାରେ ତଦନ୍ତ କରୁଥିବା କମିଶନରେଟ ପୋଲିସ, କାର୍ ମାଲିକଙ୍କ ପାଖରେ କାହିଁକି ପହଂଚିପାରୁନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯଦିଓ ଏହି ମାମଲାରେ ପୋଲିସ କାର ଚାଳକଙ୍କୁ ଗିରଫ କରିଛି କିନ୍ତୁ ଗାଡି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହୋଇଛି । ବିଜେପି ଏହି ମାମଲରା କାରଟି ପଂଜିକୃତ ହୋଇଥିବା କମ୍ପାନୀର ନିର୍ଦ୍ଦେଶକ ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ବିରୋଧରେ ଫୈଜଦାରୀ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେହିପରି କଂପାନୀର ନିର୍ଦ୍ଦେଶକ ଥିବା ଦୁଇ ବ୍ୟକ୍ତି ବିଶାଲ ଦାସ ଏବଂ ସରୋଜ ଭୋଇଙ୍କଠୁ କ୍ଷତିପୂରଣ ଆଦାୟ କରି ୫୦ ଲକ୍ଷ ଟଂକା ମୃତକ ଲୋପାମୁଦ୍ରାଙ୍କ ପରିବାରକୁ ଦେବା ପାଇଁ ଦାବି ହୋଇଛି ।

ଦୁର୍ଘଟଣାରେ ଜଗତସିଂହପୁରର ୨୪ ବର୍ଷୀୟ ଯୁବତୀ ଲୋପାମୁଦ୍ରା ସାହୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଗୁରୁତର କାହ୍ନୁଚରଣ ନାୟକ ଏବେ ବି ଚିକିତ୍ସାଧୀନ ଅଛନ୍ତି । ନିକଟରେ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଅର୍ଥ ସମସ୍ୟା ସାଜିଥିବା କଥା କହିଥିଲେ । ଏପରି ସ୍ଥିତିରେ ମୃତକ ଏବଂ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ନ୍ୟାୟ ପାଇଁ ଲଢେଇ ପରିବାର । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏ ନେଇ ମାମଲା ଦାୟର ହୋଇଛି । ଯେଉଁଥିରେ ରାଜ୍ୟ ସରକାରଙ୍କ ଗୃହ ସଚିବ, ଡିଜିପି ଏବଂ ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛିା

ଗୋଟିଏ ପଟେ ବିରୋଧୀ ଏବଂ ଅନ୍ୟମାନେ ଦୁର୍ଘଟଣା ମାମଲାରେ ନ୍ୟାୟ ପାଇଁ ଦାବି କରୁଛନ୍ତି । ଅନ୍ୟପଟେ ଗାଡି ମାଲିକ ନିରବଦ୍ରଷ୍ଟା ସାଜିବା ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ଦିଗରେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ।