ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଖୋଳତାଡ ଆରମ୍ଭ । ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ନ୍ୟାୟ ଓ ପ୍ରତିଶୋଧକୁ ନେଇ ବଡ ବୟାନ ରଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।

2,157

କନକ ବ୍ୟୁରୋ : ହାଇଦ୍ରାବାର ଏନକାଉଣ୍ଟର ଓ ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଚର୍ଚ୍ଚାରେ ଥିବା ବେଳେ ନ୍ୟାୟ ଓ ପ୍ରତିଶୋଧକୁ ନେଇ ବଡ ବୟାନ ରଖିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । କହିଛନ୍ତି-ନ୍ୟାୟ ଯେବେ ପ୍ରତିଶୋଧରେ ପରିଣତ ହୋଇଯାଏ, ତେବେ ନ୍ୟାୟ, ତା’ର ପ୍ରକୃତ ଚରିତ୍ର ହରାଏ । ଆଉ ଏପଟେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଏନ୍କାଉଁଟର ପରେ ଏହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ପହଞ୍ଚି ୪ ମୃତଦେହର ଯାଞ୍ଚ କରିଛନ୍ତି । ସେପଟେ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସିଡି କିମ୍ବା ପେନଡ୍ରାଇଭରେ ପୋଷ୍ଟମର୍ଟମର ଭିଡିଓକୁ ଜିଲ୍ଲା ଜଜଙ୍କ ନିକଟରେ ଜମା କରିବାକୁ କହିଛନ୍ତି ।

ହାଇଦ୍ରାବାଦ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜଣଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସିଡି କିମ୍ବା ପେନଡ୍ରାଇଭରେ ପୋଷ୍ଟମର୍ଟମର ଭିଡିଓକୁ ମେହବୁବନଗରର ଜିଲ୍ଲା ଜଜଙ୍କ ନିକଟରେ ଜମା କରିବାକୁ କୁହାଯାଇଛି । ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତି ଶୁଣାଣି ହେବ । ଅନ୍ୟପଟେ ହାଇଦ୍ରାବାଦ ପୋଲିସର ଏନକାଉଣ୍ଟରକୁ ବିରୋଧ କରି ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାୟର କରିଛନ୍ତି ବରିଷ୍ଠ ଆଇନଜୀବୀ ଜିଏସ ମଣି ଏବଂ ପ୍ରଦୀପ କୁମାର ଯାଦବ ।

କାହିଁକି ହେଲା ଏନକାଉଣ୍ଟର? ହାଇଦ୍ରାବାଦରେ ପହଁଚିଲେ ଜାତୀୟ ମାନବାଧିକାର କମିଶନ । ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ପୋଲିସ ଏନକାଉଣ୍ଟର କଲା, ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ମାନବାଧିକାର କମିଶନ । ଦିଲ୍ଲୀରୁ କମିସନଙ୍କ ଏକ ଟିମ୍ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏନକାଉଣ୍ଟର ହୋଇଥିବା ସ୍ଥାନ ବୁଲି ଯାଞ୍ଚ କରିବା ସହ ମେହବୁବନଗର ହସ୍ପିଟାଲରେ ରଖାଯାଇଥିବା ମୃତକଙ୍କ ଶବ ମଧ୍ୟ ଯାଞ୍ଚ କରିଛନ୍ତି । ପୋଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ବିରୋଧ କରି ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ହାଇଦ୍ରାବାଦ ଏନକାଉଣ୍ଟର ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଏସଏ ବୋବଡେ ଏକ ବଡ଼ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ନ୍ୟାୟ ଯେବେ ପ୍ରତିଶୋଧର ପରିଣତ ହୋଇଯାଏ, ତେବେ ନ୍ୟାୟ, ତା’ର ପ୍ରକୃତ ଚରିତ୍ର ହରାଏ ।