ମହାଅଭିଯୋଗ ପରେ ମହାପଲିଟିକ୍ସ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଭେଙ୍କିୟା ନାଇଡୁ

23

କନକ ବ୍ୟୁରୋ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇ ଚାଲିଥିବା ବିବାଦ, ଆଜି ନୂଆ ମୋଡ ନେଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କଂଗ୍ରେସ ନେତୃତ୍ୱରେ ୭ଟି ଦଳ ଦେଇଥିବା ମହାଭିଯୋଗ ନୋଟିସକୁ ଖାରଜ କରିଦେଇଛନ୍ତି । ୬୪ ଜଣ ସାଂସଦଙ୍କ ସ୍ୱାକ୍ଷର ଥିବା ଏହି ମହାଭିଯୋଗ ନୋଟିସକୁ ଖାରଜ କରିବା ପରେ ଭେଙ୍କିୟା କହିଛନ୍ତି, ଆଇନ୍ ଓ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ନୋଟିସ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଉପଲବ୍ଧି କରିଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପଦଚ୍ୟୁତ କରିବା ଲାଗି ଆସିଥିବା ମହାଭିଯୋଗ ନୋଟିସକୁ ଅଗ୍ରାହ୍ୟ କରିଦେଇଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ଆଣିଥିବା ନୋଟିସ ଗ୍ରହଣଯୋଗ୍ୟ ହେଲା ଭଳି ନୁହେଁ ବୋଲି କହିଛନ୍ତି ଭେଙ୍କେୟା । ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କୁ ପଦଚ୍ୟୁତ କରିବାକୁ ହେଲେ ସଂସଦର ଉଭୟ ଗୃହରେ ମହାଭିଯୋଗ ପ୍ରସ୍ତାବ ଆସିବା କଥା । ଲୋକସଭାରେ ୧୦୦ ସଦସ୍ୟ ଓ ରାଜ୍ୟସଭାରେ ୫୦ ସଦସ୍ୟଙ୍କ ଦସ୍ତଖତ ଥିଲେ ଆଗତ ହୋଇପାରିବ । ୬୪ ସଦସ୍ୟଙ୍କ ଦସ୍ତଖତ ଥାଇ ରାଜ୍ୟସଭାରେ ନୋଟିସ ଦିଆଯାଇଥିଲେ ମଧ୍ୟ ଏହା ଅଗ୍ରାହ୍ୟ ହୋଇଯାଇଛି । ତେଣୁ କଂଗ୍ରେସ କହିଛି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବ । ଏପରିକି ପ୍ରଧାନବିଚାରପତି ଏହି ମାମଲାରୁ ଦୂରେଇ ରହିବାକୁ ଅନୁରୋଧ କରାଯିବ ।

ତେବେ ଗୋଟିଏ ପଟେ ପ୍ରଧାନବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ନୋଟିସକୁ ଅଗ୍ରାହ୍ୟ କରିଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ସେପଟେ ସୁପ୍ରିମକୋର୍ଟରେ ଆଜି ନଜର ଆସିଥିଲା ଏକ ଅସ୍ୱାଭାବିକ ଘଟଣା । ନିୟମ ଅନୁସାରେ କୋର୍ଟକାର୍ଯ୍ୟ ଆରମ୍ଭ ହେବାର ଠିକ ପୂର୍ବରୁ ପ୍ରଧାନବିଚାରପତିଙ୍କ ସହ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ପ୍ରାୟ ୫ ମିନିଟ ଧରି ଚର୍ଚ୍ଚା ଆଲୋଚନା କରିଥାନ୍ତି । ଏହି ସମୟରେ ଚା ପାନ ମଧ୍ୟ ହୋଇଥାଏ । ହେଲେ ଆଜି କିନ୍ତୁ ବିଚାରପତିମାନଙ୍କ ଭିତରେ ଏହି ଚର୍ଚ୍ଚାର ଅବଧୀ ପ୍ରାୟ ୧୫ ମିନିଟ ବଢିଯାଇଥିଲା । କୋର୍ଟକାର୍ଯ୍ୟ ଦିନ ୧୦ଟା ୩୦ରେ ଆରମ୍ଭ ହେବା ପରିବର୍ତେ ୧୦ଟା ୪୭ରେ ଆରମ୍ଭ ହୋଇଥିଲା । ଅନୁମାନ କରାଯାଉଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ନେଇ ଚାଲିଥିବା ରାଜନୀତି ନେଇ ନ୍ୟାୟାଧୀଶ ମାନଙ୍କ ଭିତରେ ଚର୍ଚ୍ଚା ହୋଇଛି ।