କନକ ବ୍ୟୁରୋ : ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଚାଲିଥିବା ମନଇଚ୍ଛା ଗିରଫଦାରୀ ଓ ଜାମିନରେ ଡେରି ହେଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ବି ରମନ୍ନା । ସେ କହିଛନ୍ତି କି ଦେଶରେ ରାଜନୈତିକ ଅଭିସନ୍ଧି ରଖି କରାଯାଉଥିବା ଗିରଫଦାରୀ ଓ ଅପରାଧିକ ମାମଲାରେ ଜାମିନ ବା ବେଲ ଦେବାରେ ଡେରି ନ୍ୟାୟପାଳିକା ପ୍ରତି ଏକ ଉପହାସ ବୋଲି ମନେ ହେଉଛି । ଏନେଇ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବାକୁ ଏକ ସାମଗ୍ରୀକ ଯୋଜନାର ଆବଶ୍ୟକତା ରହିଥିବା କଥା ଜଷ୍ଟିସ ରମନ୍ନା କହିଛନ୍ତି ।

Advertisment

କେବଳ ସେତିକି ନୁହେଁ ସଂସଦୀୟ ଲୋକତନ୍ତ୍ରରେ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏବେ ବିରୋଧୀଙ୍କ ପରିସର ହ୍ରାସ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । କହିରଖୁ କି କିଛିଦିନ ହେବ ମୁଖ୍ୟ ବିଚାରପତି ନ୍ୟାୟପାଳିକାର କାର୍ଯ୍ୟଶୈଳୀ ଓ ସମ୍ବିଧାନକୁ ସୂଚାରୁରୂପେ ଲାଗୁ କରିବା ଉପରେ ଟିପ୍ପଣୀ ଦେଉଛନ୍ତି । କିଛିଦିନ ତଳେ ଜଷ୍ଟିସ କହିଥିଲେ କି ଦେଶର ଶାସନ କ୍ଷମତାରେ ଥିବା ସରକାର ଆଶା କରୁଛନ୍ତି କି, ତାଙ୍କର ସମସ୍ତ କାର୍ଯ୍ୟକୁ ନ୍ୟାୟପାଳିକା ଆଖିବୁଜି ମଞ୍ଜୁରୀ ପ୍ରଦାନ କରୁ । ଏହା ବିରୋଧୀମାନେ ସେମାନଙ୍କ ରାଜନୈତିକ ଉର୍ଦ୍ଦେଶ୍ୟକୁ ଆଗକୁ ବଢାଇବାରେ ନ୍ୟାୟପାଳିକା ସହାୟତା କରୁବୋଲି ଆଶା କରୁଥିବା କଥା ଜଷ୍ଟିସ ରମନ୍ନା କହିଥିଲେ । ହେଲେ ନ୍ୟାୟପାଳିକା ନା ସରକାର ପାଖରେ ନା ବିରୋଧୀଙ୍କ ପାଖରେ କେବଳ ସମ୍ବିଧାନ ପ୍ରତି ଜବାବଦେହୀ ବୋଲି ମୁଖ୍ୟ ବିଚାରପତି ସ୍ପଷ୍ଟ କରିଥିଲେ ।