ଆମ ଦେଶ ପାଇଁ ଆମେ ଯୁଦ୍ଧ କରିବୁ । ବିଦେଶରୁ ଫେରୁଛନ୍ତି ୟୁକ୍ରେନ ଯୁବକ, ବଢିଲା ପୁଟିନଙ୍କ ଚିନ୍ତା ।

386

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଥମିବାର ନାଁ ନେଉନାହିଁ । ଋଷ ସେନା ୟୁକ୍ରେନର ଅନେକ ସହରକୁ କବଜା କରିଥିବା ବେଳେ ରାଜଧାନୀ କିବ ମୁହାଁ ହୋଇଛି । କିବ ଦଖଲ କରିବାକୁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରୁଛି । କେତେବେଳେ ମିସାଇଲ ମାଡ ତ ପୁଣି କେତେବେଳେ ବନ୍ଧୁକ ମୁନରେ କିବ ଦଖଲ ଅଭିମୁଖେ ବାହାରିଛି ଋଷ ସେନା । ଆଉ ଋଷର ଏଭଳି ପ୍ରଚଣ୍ଡ ଆକ୍ରମଣରେ ଅନେକ ୟୁକ୍ରେନ ବାସିନ୍ଦା ଦେଶ ଛାଡି ପଡୋଶୀ ଦେଶକୁ ପଳାୟନ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଏଯାବତ ୟୁକ୍ରେନରୁ ପ୍ରାୟ ୨ ଲକ୍ଷ ଲୋକ ଦେଶ ଛାଡି ସାରିଲେଣି ।

ଏଭଳି ସଙ୍କଟଜନକ ସ୍ଥିତିରେ ନିଜ ଦେଶ ତଥା ମାଟି ମା’ର ରକ୍ଷା ପାଇଁ ବିଦେଶରୁ ଦେଶକୁ ଫେରୁଛନ୍ତି ୟୁକ୍ରେନର ଯୁବକ । ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୋଧରେ ଲଢେଇ ପାଇଁ ସାଧାରଣ ନାଗରିକଙ୍କୁ ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ । ଆଉ ଏହି ଆହ୍ୱାନକ୍ରମେ ଏବେ ଅନେକ ଯୁବକ ୟୁକ୍ରେନ୍ ମୁହାଁ ହୋଇଛନ୍ତି । ଶହ ଶହ ସାଧାରଣ ନାଗରିକ ଏବେ ୟୁକେନ୍ ସେନାରେ ସାମିଲ ହୋଇ ଋଷ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଛନ୍ତି ।

ସବୁଠୁ ବଡ କଥା ହେଉଛି ସେନାରେ ମିଶିବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ପୂର୍ବତନ ସୈନିକ ମଧ୍ୟ ରହିଛନ୍ତି । ନିଜ ଦେଶର ରକ୍ଷା ପାଇଁ ଏବେ ପୁଣିଥରେ ଅସ୍ତ୍ର ଉଠାଇବାକୁ ଆଗେଇ ଆସିଛନ୍ତି ପୂର୍ବତନ ସୈନିକ । କିଏ ପଡୋଶୀ ଦେଶ ପୋଲାଣ୍ଡରୁ ଫେରୁଛି ତ କିଏ ପାଠ ପଢା ଛାଡି ଦେଶର ସୁରକ୍ଷା ପାଇଁ ବିଦେଶରୁ ୟୁକ୍ରେନକୁ ଫେରିଛି । ଏହାପୂର୍ବରୁ ୟୁକ୍ରେନ୍ ସରକାର ୧୮ରୁ ୬୦ ବର୍ଷ ବୟସ୍କ ଲୋକଙ୍କୁ ଦେଶ ନ ଛାଡିବାକୁ କଡା ନିର୍ଦ୍ଦେଶ ଦେଇଥିଲା । ଏପରିକି ଏହିଭଳି ସଙ୍କଟଜନକ ସ୍ଥିତିରେ ଦେଶର ସୁରକ୍ଷା ପାଇଁ ଋଷ ସେନା ସହ ଲଢେଇ କରିବାକୁ ଘରେ ପେଟ୍ରୋଲ ବମ ତିଆରି କରି ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଉ ୟୁକ୍ରେନର ସାଧାରଣ ଲୋକେ ଅସ୍ତ୍ର ଉଠାଇବା ଏବେ ଋଷର ଚିନ୍ତାକୁ ବଢାଇ ଦେଇଛି ।