କନକ ବ୍ୟୁରୋ : ଅଧିକରୁ ଅଧିକ ଓଡ଼ିଆ ଯୁବକଙ୍କୁ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିବ। ସେମାନେ ଆଇଏଏସ୍, ଆଇପିଏସ୍ ହେବେ। ଘରୋଇ ସଂସ୍ଥାମାନଙ୍କ ଭଳି ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ବି ନିଯୁକ୍ତି ମିଳିବ। କିଛି ବର୍ଷ ତଳେ ଏମିତି ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର। ବିଭିନ୍ନ ବିଶ୍ୱବିଦ୍ୟାଳୟ ସ୍ତରରେ ସିଭିଲ୍ ସର୍ଭିସ୍ କୋଚିଂ ସେଣ୍ଟର ଖୋଲାଗଲା। ପରବର୍ତ୍ତୀ ସମୟରେ ଗୋଟିଏ ଘରୋଇ ସଂସ୍ଥା ସହିତ ଅନୁବନ୍ଧିତ ହୋଇଥିଲେ ସରକାର। ହେଲେ ଆଜି ଦିନର ବାସ୍ତବତା ହେଲା, ପାଖାପାଖି ଅଢେଇ କୋଟି ଟଙ୍କା ଖର୍ଚ୍ଚ ପରେ ବି ଏସବୁଥିରେ ନିଯୁକ୍ତି ସଫଳତା କଣ ମିଳିଲା ସେକଥା ଉଚ୍ଚଶିକ୍ଷା ବିଭାଗ ଜାଣେନାହିଁ; ଉଚ୍ଚଶିକ୍ଷା ମନ୍ତ୍ରୀ ବି। ବରଂ ଏକଥା ସାମ୍ନାକୁ ଆସିଛି ଯେ ବିଶ୍ୱବିଦ୍ୟାଳୟମାନଙ୍କରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନିଯୁକ୍ତି ସଂପର୍କରେ ସରକାର ପୂରା ବେଫିକର ଅଛନ୍ତି। ଘୋଷଣା ବେଳେ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଅଥଚ ନିରବରେ ଉଚ୍ଚଶିକ୍ଷା ବିଭାଗ ଏହି କାର୍ଯ୍ୟ ବନ୍ଦ କରିଦେଲା, କେହି କିଛି ଜାଣିପାରିଲେ ନାହିଁ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଯେଉଁ ତଥ୍ୟ ଦେଇଛନ୍ତି, ତାହାକୁ ଖୋଳତାଡ କରିବା ପରେ ଏଭଳି ସାଂଘାତିକ ସଙ୍କେତ ମିଳୁଛି। ଏକଥା ବି ଜଳ ଜଳ ଦେଖାଯାଉଛି ଯେ ରାଜ୍ୟର ବିଶ୍ୱବିଦ୍ୟାଳୟମାନେ ମେଧାବୀ ଛାତ୍ରଛାତ୍ରୀଙ୍କ ହାତରେ ସଫଳତା ଧରାଇ ପାରୁନାହାନ୍ତି। ସରକାର ଲକ୍ଷ୍ୟ ଠାରୁ ଦୂରେଇ ଗଲେଣି। ଆହୁରି ସ୍ପଷ୍ଟ ଭାବେ କହିଲେ, ଘରୋଇ ବିଶ୍ୱବିଦ୍ୟାଳୟ ସହିତ କେଉଁଠି ନା କେଉଁଠି ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା କରିପାରୁନାହାନ୍ତି ବା ସେ ମାନସିକତାରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନାହିଁ।
ବିଧାନସଭାରେ ଲିଖିତ ଉତ୍ତରରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ୨୦୧୪ ମସିହାରୁ ୨୦୧୯ ମସିହା ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ମାତ୍ର ୨୫୯ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୩.୭୯ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏହା ପୁଣି ସିଏଜିଙ୍କ ତଥ୍ୟ।
ସେହିଭଳି ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ରାଜ୍ୟ ସରକାର ସିଭିଲ୍ ସର୍ଭିସ କୋଚିଂ ସେଣ୍ଟର ଖୋଲିଥିଲେ। ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ୧କୋଟି ୮୨ଲକ୍ଷ ୫୦ ହଜାର ଟଙ୍କା ସରକାର ଦେଇଥିଲେ। ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ତାର ନିର୍ୟାସ କ’ଣ ବାହାରିଲା? ବାକି ବର୍ଷ ସଂପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ? ଏହି କାର୍ଯ୍ୟକ୍ରମ କ’ଣ ବନ୍ଦ ହୋଇଗଲା? ଏକଥା ବିଧିବଦ୍ଧ ଭାବେ ଘୋଷଣା ନ କରି ଏସବୁ କେନ୍ଦ୍ରରେ ତାଲା ପକାଇ ଦିଆଗଲା କି? ଏମିତି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି, ଯାହାର ଉତ୍ତରରେ ସରକାର ନିରବ ଅଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟରୁ ଆହୁରି ଜଣାପଡୁଛି ଯେ ୨୦୧୯ ଠାରୁ ଉଚ୍ଚଶିକ୍ଷା ବିଭାଗ ୟୁପିଏସସି କୋଚିଂ ପାଇଁ ପାଦେ ଆଗକୁ ଯାଇଥିଲା। ସେବର୍ଷ ମାର୍ଚ୍ଚ ୭ ତାରିଖ ଦିନ ଡିଇଏସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ଚୁକ୍ତି ସ୍ବାକ୍ଷର କରାଯାଇଥିଲା। ୨୦୧୯-୨୦ ବ୍ୟାଚରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରିଥିଲେ। ପ୍ରଥମ ବ୍ୟାଚରେ ସର୍ବମୋଟ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସରକାର ଟଙ୍କା ସିନା ଖର୍ଚ୍ଚ କଲେ, ହେଲେ ଏହି ଯୋଜନା ଦ୍ବାରା କେତେ ଛାତ୍ରଛାତ୍ରୀ ସଫଳ ହେଲେ, ଏମାନଙ୍କ ସଂଖ୍ୟା ସଂପର୍କରେ ଉଚ୍ଚଶିକ୍ଷା ବିଭାଗ କିଛି ବି ତଥ୍ୟ ରଖିନାହିଁ। ଯୋଜନା କାର୍ଯ୍ୟକାରୀ ହେବାର ୨ବର୍ଷ ପରେ ବିଭାଗ ପାଖରେ କୌଣସି ସୂଚନା ନ ରହିବା ସୂଚାଇ ଦେଉଛି ଯେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ଆନ୍ତରିକତା କେତେ? ସିଏଜି ମଧ୍ୟ ଏ ସଂପର୍କରେ ପୂର୍ବରୁ ତାଙ୍କ ରିପୋର୍ଟରେ ଠାରି ସାରିଛନ୍ତି। ଏହି ରିପୋର୍ଟ ଓ ସୁପାରିସ ରାଜ୍ୟ ସରକାରଙ୍କ ପାଖରେ ରହିଛି। ହେଲେ ଏହାକୁ ନେଇ ତନାଘନା କରିବା ପରିବର୍ତ୍ତେ ଉଚ୍ଚଶିକ୍ଷା ବିଭାଗ ତାକୁ ଧରି ବସିଯାଇଛି।
ସିଏଜି ତାଙ୍କ ରିପୋର୍ଟରେ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ନିଯୁକ୍ତି ହାର ୨.୨୩ ପ୍ରତିଶତରୁ ୨୭.୧୦ ପ୍ରତିଶତ ରହିଛି। ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏହାର ହାର ୩.୫୦ ପ୍ରତିଶତରୁ ୭.୭୨ ପ୍ରତିଶତ। ନାକ୍ ଅନୁଧ୍ୟାନ ବେଳେ ଦେଖାଯାଇଥାଏ ଯେ ନିଯୁକ୍ତି ହାର ଅନ୍ୟୂନ ୩୦ ପ୍ରତିଶତ ବା ତଦୁର୍ଧ ରହିବା କଥା। ହେଲେ ଏମାନେ ଏ କ୍ଷେତ୍ରରେ ବିଫଳ।
ସିଏଜି ଆହୁରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ହାତକୁ ନେବା ବେଳେ ଯେଭଳି ପରିଚାଳନା ଓ ତଦାରଖ କରିବା କଥା ତାହା ଆଦୌ ସରକାରୀସ୍ତରରେ ଅନୁସୃତ ହୋଇନାହିଁ। ଉତ୍ତୀର୍ଣ୍ଣ ମେଧାବୀ ଉଚ୍ଚଶିକ୍ଷା ଶେଷ କରିବା ପରେ କେଉଁଠାରେ କି ପ୍ରକାର ନିଯୁକ୍ତି ଲାଭ କରୁଛନ୍ତି,ତାକୁ ଜାଣିବା ଲାଗି ବି କୌଣସି ବ୍ୟବସ୍ଥା ସରକାରଙ୍କ ପାଖରେ ନାହିଁ। ବରଂ ଏହି କାର୍ଯ୍ୟକ୍ରମକୁ ଆଖିବୁଜି ବନ୍ଦ କରିଦିଆଯାଇଛି।
କୌତୂହଳ କଥା ହେଲା, ସିଏଜି ଏହି ରିପୋର୍ଟରେ ପରାମର୍ଶ ଦେଇଥିଲେ ଯେ ରାଜ୍ୟ ସରକାର ଗୋଟିଏ ପ୍ଲେସମେଣ୍ଟ ସେଲ୍ ଖୋଲନ୍ତୁ ଓ କ୍ୟାରିଅର କାଉନସେଲିଂ ସେଲ୍ ବି। ହେଲେ ଏହା ସରକାରଙ୍କ ଫାଇଲ ଭିତରେ ବନ୍ଧା ପଡ଼ିଯାଇଛି। ଓଲଟା ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିୟମାବଳୀ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ‘ହିତ ଓ ଭବିଷ୍ୟତ’ ପାଇଁ କୌଣସି କ୍ୟାରିଅର ସେଣ୍ଟର ବା ପ୍ଲେସମେଣ୍ଟ ସେଲ୍ ଖୋଲାଯାଇନାହିଁ। ମନ୍ତ୍ରୀ ଏ ଉତ୍ତର ଦେବା ବେଳେ ଆଦୌ ଅନୁଶୋଚନା ପ୍ରକାଶ ନ କରିବା ଦୁର୍ଭାଗ୍ୟଜନକ। ଗୋଟିଏ ପଟେ ରାଜ୍ୟ ସରକାର ମେଧାବୀ ସୃଷ୍ଟି ଲାଗି ରାଜ୍ୟରେ ସ୍ମାର୍ଟ କ୍ଲାସରୁମ ବାବଦରେ କୋଟି କୋଟି ଟଙ୍କାର ଯୋଜନା କରୁଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଦୁରାବସ୍ଥା କେଉଁଠି ନା କେଉଁଠି ସୂଚାଉଛି ଯେ ରାଜ୍ୟ ସରକାରଙ୍କ ବାମହାତ ଓ ଡାହାଣ ହାତ ଭିତରେ ସର୍ବନିମ୍ନ ସମନ୍ବୟ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ହେଉଥିବା ଯୋଜନା ଏବଂ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟଖସଡା ଭିତରେ ଯୋଜନ ଯୋଜନ ଦୂରତା ରହିଛି।