କନକ ବ୍ୟୁରୋ: ହିଂସାକାଣ୍ଡ ପରେ ସମ୍ବଲପୁର ସହରର ତିନୋଟି ଚିତ୍ର ସାମ୍ନାକୁ ଆସିଛି । ସହରରେ କର୍ଫ୍ୟୁ ବଳବତ୍ତର ଥିବାରୁ ରାସ୍ତାଘାଟରେ ଯାତାୟତ କମିଛି । ବିଭିନ୍ନ ସ୍ଥାନ ଉପରେ ରହିଛି ସୁରକ୍ଷାକର୍ମୀଙ୍କ ନଜର । ଏଏସଓ ଏବଂ ସିଡିଏସ୍ ପରୀକ୍ଷା ଦେବା ପାଇଁ ସମ୍ବଲପୁର ଆସିଥିବା ପରୀକ୍ଷାର୍ଥୀମାନେ, ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବସରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ଆଉ କୋହଳ କଟକଣା ଭିତରେ ଆବଶ୍ୟକୀୟ ସାମଗ୍ରୀ କିଣାବିକା କରିଛନ୍ତି ସମ୍ବଲପୁର ବାସିନ୍ଦା ।

Advertisment

ଯଦିଓ ସମ୍ବଲପୁର ସହରରେ ଏବେ ବି କର୍ଫ୍ୟୁ ବଳବତର ରହିଛି, ତଥାପି ସ୍ଥିତି ସୁଧୁରିଲେ ହଟିବ କର୍ଫ୍ୟୁ କଟକଣା । ହିଂସାକାଣ୍ଡ ଘଟଣା ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି ପୁଲିସ୍ ଡିଜି ସୁନୀଲ ବଂଶଲ । ସମୀକ୍ଷା ପରେ ସେ କହିଛନ୍ତି- ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସହରରେ ସ୍ୱାଭାବିକ ସ୍ଥିତି ଫେରୁଛି । ଅପ୍ରୀତିକର ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ତେବେ ଜନସାଧାରଣଙ୍କୁ ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଛନ୍ତି ପୁଲିସ୍ ଡିଜି ।

ଏପଟେ ସମ୍ବଲପୁର ବାଇକ୍୍ ରାଲି ଉପରେ ହୋଇଥିବା ପଥର ମାଡ଼ ଏବଂ ପୋଡ଼ାଜଳା ଘଟଣାରେ ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଏହି ଗିରଫଦାରୀ ସଂଖ୍ୟା ବଢ଼ିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ପି । ସିସିଟିଭି ଫୁଟେଜର ଯାଞ୍ଚ କରାଯାଇ, ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ଏପଟେ ସମ୍ବଲପୁରର ସ୍ଥିତି ଉପରେ ନଜର ରହିଛି ଜିଲ୍ଲା ପ୍ରଶାସନ । ନିୟମିତ ଭାବେ ସମୀକ୍ଷା କରାଯାଉଛି, ଠିକ୍ ସମୟରେ କଟକଣା ହଟିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ସମ୍ବଲପୁର ଘଟଣା ପରେ ସୋସିସିଆଲ ମିଡ଼ିଆରେ ବିଭ୍ରାନ୍ତିକର ଫଟୋ, ଭିଡିଓ ଓ ଅଡିଓ ପୋଷ୍ଟ ନକରିବା ପାଇଁ ଜନସାଧାରଣଙ୍କୁ ସତର୍କ କରିଛି ବିଭିନ୍ନ ଜିଲ୍ଲାର ପୁଲିସ ପ୍ରଶାସନ । ଯଦି କୌଣସି ବିକ୍ରାନ୍ତିକର ପୋଷ୍ଟ କରାଯାଏ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।