ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ

769

କନକ ବ୍ୟୁରୋ: ଆଇପିଏଲ ଏପରି ଏକ ମଞ୍ଚ ଯେଉଁଠି କୌଣସି ମୂହୂର୍ତ୍ତର୍ରେ ବଦଳି ଯାଇପାରେ କ୍ରିକେଟରଙ୍କ ଭାଗ୍ୟ । ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଆଇପିଏଲ ନିଲାମରେ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ୨୦୨୪ ଆଇପିଏଲ ସିଜିନ ପାଇଁ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫.୮୦ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।

ତେବେ ୧୦ ବର୍ଷ ତଳେ ଶୁଭମଙ୍କ ପାଖରେ ଖେଳିବା ପାଇଁ ବ୍ୟାଟଟିଏ ନଥିବା ବେଳେ ଅର୍ଥ ଅଭାବରୁ ଗ୍ଲୋଭସ ମଧ୍ୟ କିଣିପାରିନଥିଲେ । ବାପାଙ୍କ ପାନ ଦୋକାନରୁ ଯାହା କିଛି ଅର୍ଥ ରୋଜଗାର ହେଉଥିଲା ସେତିକିରେ ପରିବାର ଚଳୁଥିଲା । ବହୁ କଷ୍ଟରେ କ୍ରିକେଟ ଜଗତରେ ନିଜର ସ୍ଥିତି ବଜାୟ ରଖିଥିବା ଶୁଭମ ଦୁବେଙ୍କର ମଙ୍ଗଳବାର ଆଇପିଏଲ ନୀଲାମିରେ ଭାଗ୍ୟ ବଦଳି ଯାଇଛି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରାୟ ୬କୋଟି ଟଙ୍କାରେ କିଣାଯାଇଥିବା ଜାଣିବା ପରେ ଶୁଭମଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପଦର୍ଶନ ଯୋଗୁ ଆଇପିଏଲରେ ସ୍ଥାନ ମିଳିଥିବା କହିଛନ୍ତି ଶୁଭମ୍ ।

  • ରଣଜୀ ମ୍ୟାଚରେ ଶୁଭମଙ୍କ ଦମଦାର ପ୍ରଦର୍ଶନ
  • ୨୯ବର୍ଷୀୟ ବ୍ୟାଟର ମ୍ୟାଚ୍ ଫିନିସର ଭାବେ ପରିଚିତ

୨୯ ବର୍ଷୀୟ ଏହି ବାମହାତୀ ବ୍ୟାଟର ମ୍ୟାଚ ଫିନିସର ଭାବେ ପରିଚିତ । ଶୁଭମ୍ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୭ଟି ମ୍ୟାଚରେ ୧୦ ଚୌକା, ୧୮ ଛକା ସହ ୨୨୨ ରନ ସଂଗ୍ରହ କରିଛନ୍ତି । ଦୁବେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଟି ଟି-୨୦ ମ୍ୟାଚ ଖେଳିସାରିଥିବା ବେଳେ ହାରାହାରି ୧୪୫ ଷ୍ଟ୍ରାଇକ ରେଟରେ ୪୮୫ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୬ଟି ଚୌକା ଏବଂ ୩୦ଟି ଛକା ସାମିଲ ରହିଛି । ଲିଷ୍ଟ ‘ଏ’ ଶ୍ରେଣୀରେ ୬ଟି ଇନିଂସ ଖେଳି ୯୦ ଷ୍ଟ୍ରାଇକ ରେଟରେ ୧୫୯ ରନ ସଂଗ୍ରହ କରିଛନ୍ତି ଶୁଭମ ଦୁବେ ।

ବର୍ତମାନ ଶୁଭମ ବିଦର୍ଭ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ବେଳେ ପୂର୍ବରୁ ୧୯ ବର୍ଷରୁ କମ ଏବଂ ୨୩ ବର୍ଷରୁ ଭାରତୀୟ ଟିମରେ ମଧ୍ୟ ଖେଳିସାରିଛନ୍ତି ।