ଖଣ୍ଡଗିରିରେ ଯାତ୍ରାମହାସମର: ପଡୁଛି ଉଠୁଛି ପେଣ୍ଡାଲ, ରେକର୍ଡ ଡ୍ୟାନ୍ସରେ ଦୁୁଲୁକୁଛି ରାଜଧାନୀ । ଲହରିଆ ସଂଳାପରେ ଭାଙ୍ଗୁଛି ରାତିର ନିରବତା ।

172

କନକ ବ୍ୟୁରୋ: ରଙ୍ଗୀନ୍ ରାତି, ଚିକ୍ ମିକ୍ ଆଲୁଅ । ରାଜଧାନୀର ରାତି ଟିକେ ଗାଢ ହେବା କ୍ଷଣି ଲାଇଟ୍ ସାଉଣ୍ଡ ଆଉ ମ୍ୟୁଜିକରେ କମ୍ପୁଛି ଭୁବନେଶ୍ୱରର ଛାତି । ଦିନ ସାରା ପ୍ରଚାର, ସଞ୍ଜରେ ଗହଳି, ଆଉ ରାତିରେ ଯାତ୍ରା । ରେକର୍ଡ ଡ୍ୟାନ୍ସରେ ଦୁୁଲୁକୁଛି ଖଣ୍ଡଗିରି, ଅଭିନେତାଙ୍କ ଲହରିଆ ସଂଳାପ ଓ ଖଳନାୟକଙ୍କ ଦମଦାର ଡାଇଲଗରେ ଥରୁଛି ରାଜଧାନୀ, ଭାଙ୍ଗୁଛି ରାତିର ନିରବତା । ପାରମ୍ପରିକ ଏବଂ ଆଧୁନିକ ନାଚଗୀତରେ ନାଚୁଛନ୍ତି ଦର୍ଶକ, ଝୁମୁଛନ୍ତି ସହରିଆ ।

ଦୁଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଯାତ୍ରା ମହାକୁମ୍ଭ । କରୋନାର ପ୍ରକୋପ ଓ ଲକଡାଉନ ପାଇଁ ଦୀର୍ଘ ୨ ବର୍ଷ ଧରି ଯାତ୍ରାରେ ଲାଗିଥିଲା କଟକଣା । ଲକଡାଉନର ଲକ୍ଷ୍ମଣରେଖା ପାଇଁ ନା ମେଳା ଜମୁଥିଲା ନା ପେଣ୍ଡାଲରେ ଦେଖିବାକୁ ମିଳୁଥିଲା ନାଟକ । ଚଳିତ ବର୍ଷ କରୋନା ପ୍ରଭାବ କମ୍ ଥିବାରୁ ଖଣ୍ଡଗିରିରେ ଖେଳୁଛନ୍ତି ଯାତ୍ରାପାର୍ଟି । ଚହଳ ସୃଷ୍ଟି କରୁଛି ସୁପର ହିଟ୍ ନାଟକ ।

ଯାତ୍ରା ମହାସମରରେ ପାଞ୍ଚ ପାଞ୍ଚଟି ପାର୍ଟି ଯାତ୍ରା କରୁଥିବା ବେଳେ ଯାତ୍ରା ପେଣ୍ଡାଲ ପାଖରେ ଜମୁଛି ଯାତ୍ରା ପ୍ରେମୀଙ୍କ ଭିଡ । ଫିଲ୍ମ ଟିକେଟ ଠାରୁ ଅଧିକ ଟଙ୍କା ଦେଇ ଯାତ୍ରା ଟିକେଟ କିଣୁଛନ୍ତି ଯାତ୍ରା ପ୍ରେମୀ । ଖାଲି ଭୁବନେଶ୍ୱରବାସୀ କାହିଁକି ବିଭିନ୍ନ ଜିଲ୍ଲାରୁ ଦର୍ଶକ ଯାତ୍ରା ଦେଖିବାକୁ ଆସୁଛନ୍ତି । ଲେଜର ଲାଇଟ ସାଙ୍ଗକୁ ଡିଜିଟାଲ ଲାଇଟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଦିନରେ ବାବାଙ୍କ ପାଖରେ ଭକ୍ତଙ୍କ ଭିଡ ଲାଗୁଥିବା ବେଳେ ମେଳାରେ ମାଳମାଳ ଲୋକଙ୍କ ସମାଗମ ହେଉଛି । ତାସହ ସଞ୍ଜ ବାଜିବା କ୍ଷଣି ମୀନାବଜାରରେ ଲୋକଙ୍କ ଭିଡ ସହ ରାତିରେ ଯାତ୍ରା ଦର୍ଶକଙ୍କୁ ମତୁଆଲା କରୁଛି ।