ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଚିନ୍ତା ବଢାଇଲାଣି ଟିକାର ଅଭାବ । ନାଇଟ କର୍ଫ୍ୟୁ ଓ ମାସ୍କ ଉପରେ ରାଜ୍ୟ ସରକାରଙ୍କ କଠୋର କଟକଣା

99

ଦିଲ୍ଲୀ ହେଉ ବା ଉତ୍ତରପ୍ରଦେଶ ବା ମହାରାଷ୍ଟ୍ର ସବୁ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ବେଳେ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ନାଇଟ କର୍ଫ୍ୟୁ ଏବେ ଦିଲ୍ଲୀ ଓ ପଞ୍ଜାବରେ ପହଞ୍ଚିଗଲାଣି । ଏହାରି ମଧ୍ୟରେ କିଛି ରାଜ୍ୟ ଟିକାର ଅଭାବକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।

କନକ ବ୍ୟୁରୋ : କରୋନା ଭୂତାଣୁର ଲହର ଏବେ ସହରରୁ ସହର ବ୍ୟାପିବାରେ ଲାଗିଛି । ଦିଲ୍ଲୀ, ଉତ୍ତରପ୍ରଦେଶ ହେଉ ବା ମହାରାଷ୍ଟ୍ର କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ମହାରାଷ୍ଟ୍ର ସରକାର ନାଇଟକର୍ଫ୍ୟୁ ଲାଗୁ କରିଥିବା ବେଳେ ସ୍ଥିତିକୁ ଦେଖି ଦିଲ୍ଲୀ ଓ ପଞ୍ଜାବ ସରକାର ବି ନିଜ ନିଜ ରାଜ୍ୟରେ ନାଇଟକର୍ଫ୍ୟୁ ଲଗାଇ ସାରିଲେଣି । ଏହାରିମଧ୍ୟରେ କରୋନା କବଳରୁ ରକ୍ଷା ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାର ଅଭାବକୁ ନେଇ କିଛି ରାଜ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।

ବୁଧବାର ଦିନ ଦେଶରେ କରୋନା ସଂକ୍ରମିତଙ୍କୁ ନେଇ ଯେଉଁ ସଂଖ୍ୟା ଆସିଛି ତାହା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୧୫ ଲକ୍ଷ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ସଂଖ୍ୟା । ଏହାକୁ ମିଶାଇ ଦେଶରେ ଆକ୍ଟିଭ୍ କେସ ପୁଣି ୮ ଲକ୍ଷ ପାର ହୋଇଛି ।

ଏହାରି ମଧ୍ୟରେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ କେବଳ ମହାରାଷ୍ଟ୍ରରୁ ୫୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଦେଶରେ ମୋଟ ସଂକ୍ରମଣର ୫୦ ପ୍ରତିଶତରୁ ଅଧିକ । ମହାରାଷ୍ଟ୍ର ସହିତ ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ଭଳି ରାଜ୍ୟରୁ ଅଧିକ ସଂଖ୍ୟାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୁହାଯାଉଛି କି ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୮୧ ପ୍ରତିଶତ ସଂକ୍ରମିତ କେବଳ ୮ ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି ।

ଏଭଳି ମହାସଂକଟରୁ ରକ୍ଷା ପାଇବାର ଗୋଟିଏ ବାଟ କରୋନା ବିରୋଧୀ ଟିକା । ହେଲେ ଏବେ ଅନେକ ରାଜ୍ୟରେ ଟିକା ସଂକଟ ଦେଖାଦେଇଥିବା ସୂଚନା ମିଳିଛି । ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଆଉ ୨ ଦିନ ପାଇଁ ଟିକା ମହଜୁଦ ଥିବା କଥା ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ଜଣାଇଛନ୍ତି । ସେହିଭଳି ଆନ୍ଧ୍ରସରକାର ବି ଟିକାର ଅଭାବ ଥିବା କହି କେନ୍ଦ୍ରକୁ ୧ କୋଟି ଟିକା ମାଗିଛନ୍ତି । ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ନେଇ କେନ୍ଦ୍ରକୁ ଚିଠି ଲେଖାଯିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ ରାଜ୍ୟମାନଙ୍କୁ ଭରଶା ଦେଇଛନ୍ତି କି କୌଣସି ରାଜ୍ୟକୁ ଟିକାର ଅଭାବ ଅନୁଭୂତ ହେବାକୁ ଦିଆଯିବ ନାହିଁ । ସବୁ ରାଜ୍ୟକୁ ସେମାନଙ୍କର ଆବଶ୍ୟକତା ମୁତାବକ ଟିକା ପ୍ରଦାନ କରାଯିବ ।

ଏହାରି ମଧ୍ୟରେ ଟିକାର ଅଭାବ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ବୟାନ (ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ଉପଲବ୍ଧ କରାଯାଇପାରିବ ନାହିଁ) ଉପରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଆଜି ରାସ୍ତାକୁ ଉହ୍ଲାଇଛି । ଆମ୍ ଆଦମୀ ପାର୍ଟି କହିଛି କି କରୋନା ଟିକା କେବଳ ବିଜେପି ପିଏମଓଙ୍କ ପାଇଁ ନୁହେଁ, ଏହା ଦେଶର ଜନସାଧାରଣଙ୍କ ପାଇଁ । ଆପ୍ ଅଭିଯୋଗ କରିଛି କି ଯେତେବେଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ଟିକାର ଅଧିକ ଡୋଜ ଆବଶ୍ୟକ ପଡୁଛି ସେତେବେଳେ କେନ୍ଦ୍ର ସରକାର କାହା ସ୍ୱାର୍ଥରେ ବାହାର ଦେଶକୁ ଟିକା ଦେଉଛି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି ଦେଶର ପ୍ରତିଟି ଜନସାଧାରଣଙ୍କର ସୁରକ୍ଷିତ ଜୀବନ ବଞ୍ଚିବାର ଅଧିକାର ସମ୍ବିଧାନ ଦେଇଛି । ତେଣୁ କେନ୍ଦ୍ର ସରକାର ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହି ସମସ୍ତଙ୍କୁ ଟିକା ଉପଲବ୍ଧ କରାନ୍ତୁ ।