ଗାଁରେ ମିଳିବ ସହରର ସୁବିଧା! ଗାଁ ଦାଣ୍ଡରେ ଦୌଡ଼ିବ ‘ମୋ ବସ୍’

2,688

କନକ ବ୍ୟୁରୋ: ଅଳ୍ପ ଦେୟ ଦେଇ ସୁବିଧା ଗମନାଗମନର ଯେଉଁ ସୁବିଧା ସହରାଞ୍ଚଳରେ ମିଳୁଛି । ଏଣିକି ଗାଁ ସହ ଯୋଡ଼ି ହେବ ମୋ ବସ୍ ସେବା । ପ୍ରତି ପଂଚାୟତରେ ଗଡ଼ିବ ‘ମୋ ବସ୍’ । ବ୍ଲକ ମୁଖ୍ୟାଳୟରୁ ପଂଚାୟତକୁ ଚାଲିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ମିଳିବ ପରିବହନ ସେବା । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ ।

ପ୍ରାଥମିକ ପର୍ଯ୍ୟାୟରେ ସାମିଲ ହୋଇଥିବା ୬ଟି ଜିଲ୍ଲାରେ ରହିଛି ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲା । କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର । ଆଉ ଅନ୍ୟ ଦୁଇଟି ଜିଲ୍ଳା ହେଲା-କଳାହାଣ୍ଡି ଓ ଗଜପତି । ଏହି ୬ଟି ଜିଲ୍ଲାରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବା ପରେ, ପର୍ଯ୍ୟାୟକ୍ରମେ ଏହା ରାଜ୍ୟର ଅନ୍ୟାନ୍ୟ ବ୍ଲକ୍ ମୁଖ୍ୟାଳୟରେ ଏହି ସେବା ଉପଲବ୍ଧ ହେବ ।

ଗ୍ରାମାଞ୍ଚଳରେ ସୁଲଭମୂଲ୍ୟରେ ପରିବହନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନାର ଆରମ୍ଭ ହୋଇଥିଲା । ୨୦୨୩-୨୪ ବଜେଟରେ ଏହି ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଥିଲା । ଚଳିତ ବର୍ଷ ବଜେଟରେ ଯେଉଁ ୨୦ଟି ନୂଆ ପ୍ରୟାସ ଆରମ୍ଭ ହୋଇଛି ସେଥିରେ ରହିଛି ଏହି ଗ୍ରାମାଂଚଳ ପରିବହନ ସେବା । ଗୋଟିଏ ପଟେ ସହର ପରେ ସହର ମୋ ବସ୍ ସେବା ସହ ଯୋଡ଼ି ହେଉଥିବା ବେଳେ ଏବେ ଓଡ଼ିଶାର ଗାଁ ଯାଏଁ ପହଞ୍ଚିଯିବ ଏହି ଲୋକପ୍ରିୟ ବସ ସେବା ।