ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍: ସପକ୍ଷରେ ୧୨୫, ବିପକ୍ଷରେ ପଡିଲା ୧୦୫ ଭୋଟ୍

638

କନକ ବ୍ୟୁରୋ: ରାଜ୍ୟସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ । ବିଲ ସପକ୍ଷରେ ପଡିଲା ୧୨୫ ଭୋଟ । ବିପକ୍ଷରେ ପଡିଲା ୧୦୫ ଭୋଟ୍ । ବିଲ ନେଇ ମୋଟ ୨୩୦ ଭୋଟ ପଡିଥିଲେ ବି ସେଥିରୁ ୧୨୫ଟି ଭୋଟ ସପକ୍ଷରେ ଯାଇଛି । ସେପଟେ ଶିବସେନା ଭୋଟିଂ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ ବି ବିଲକୁ ରାଜ୍ୟସଭାରୁ ମଞ୍ଜୁରୀ ମିଳିଛି ।

ତେବେ ଆଜି ଦିନ ତମାମ ଉକ୍ତ ପ୍ରସଙ୍ଗରେ ଗୃହ ଗରମ ହୋଇଥିଲା । ଦିନ ୧୨ଟାରେ ଗୃହମନ୍ତ୍ରୀ ଅମିତ ସାହା ରାଜ୍ୟସଭାରେ ବିଲ ଆଗରତ କରିବା ପରେ ବିରୋଧୀ ହଟ୍ଟଗୋଳ, ହୋହଲ୍ଲା କରିଥିଲେ । ଗୃହ ଭିତରେ ବିରୋଧୀ ଉକ୍ତ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ପ୍ରବଳ ଘେରିଥିଲେ । ତେବେ ବହୁ ବିତର୍କ ପରେ ଶେଷରେ ବିରୋଧୀଙ୍କ ଗର୍ଜନ ବିଫଳ ହୋଇଛି ।

ତେବେ ଗୋଟିଏ ପଟେ ବିଲକୁ ନେଇ ରାଜ୍ୟସଭାରେ ବିତର୍କ ଜୋର ଧରିଥିବା ବେଳେ ଅନ୍ୟପଟେ ଗୃହ ବାହାରେ ଏହାର ବିରୋଧ ଦେଖିବାକୁ ମିଳିଥିଲା । ଆସାମରେ ବିଲକୁ ବିରୋଧ କରି ବିକ୍ଷୋଭକାରୀ ବିରୋଧ ପ୍ରଦର୍ଶନ କରିବା ସହ ବସ ଜାଳିଦେଇଥିଲେ । ଆଉ ଏଭଳି ହିଂହାତ୍ମକ ବିରୋଧ ପରେ ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।