କନକ ବ୍ୟୁରୋ: ଉତରପ୍ରଦେଶରେ ଶୁକ୍ରବାର ନାଗରିକତା ବିରୋଧୀ ହିଂସାକାଣ୍ଡ ପରେ ପୁଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଲକ୍ଷ୍ନୌ, ମରେଠ, ବିଜନୌର, ସମ୍ଭଲ, କାନପୁର, ମୁରାଦାବାଦ, ଫିରୋଜାବାଦ, ବହରାଇଚ, ବୁଲନ୍ଦସହର ସମେତ ୧୧ଟି ସହରରେ ଇଂଟରନେଟ ସେବା ବନ୍ଦ କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରାଯାଇ ତାଙ୍କ ନାମରେ ମାମଲା ରୁଜୁ ସହ ଗିରଫ କରାଯାଉଛି । ଲକ୍ଷ୍ନୌରେ ହଙ୍ଗାମା ପରେ ୨୧୮ ଜଣଙ୍କ ଗିରଫ କରିଛି ପୁଲିସ । ସେମାନଙ୍କୁ ବିରୋଧ ପ୍ରଦର୍ଶନକାରୀ ଓ ଉତେଜନା ସୃଷ୍ଟିକାରୀ ଭାବେ ଚିହ୍ନଟ କରି ପୁଲିସ ଗିରଫ କରିଛି ।

Advertisment

publive-image

ସେହିପରି ଅମରୋହାରେ ୧୨ ଜଣଙ୍କୁ ଗିରଫ ଓ ୧୫ଶହ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ରୁଜୁ ହୋଇଛି ମାମଲା । ଗାଜିଆବାଦରେ ୬୫ରୁ ଅଧିକ ଆନ୍ଦୋଳନାକାରୀଙ୍କୁ ଗିରଫ କରି, ୩୬ଶହ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରୟାଗରାଜରେ ୧ ହଜାର ଆନ୍ଦୋଳନକାରୀଙ୍କ ନାମରେ ଏଫଆଇଆର ଦିଆଯାଇଥିବା ବେଳେ ୧୫୦ ଗିରଫ ହୋଇଛନ୍ତି । ବହରାଇଚରେ ୩୮ ଜଣଙ୍କୁ ଗିରଫ କରି ୨ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କ ନାମରେ ମାମଲା ରୁଜୁ କରିଛି ୟୁପି ପୁଲିସ । ସେହିପରି ବାରବାଙ୍କୀରେ ୫୦ ଜଣଙ୍କ ନାମରେ ଏଫଆଇର ରୁଜୁ କରି ପୁଲିସ ତିନି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।

publive-image

ସେପଟେ ଉଗ୍ର ବିରୋଧ ପ୍ରଦର୍ଶନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆମେଠି ଗସ୍ତକାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସେପଟେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି ସୂଚନା ମିଳିଛି । ଗତକାଲି ଗୋଟିଏ ଦିନରେ ଉତରପ୍ରଦେଶରେ ଜଣେ ୮ବର୍ଷର ନାବାଳକଙ୍କ ସମେତ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦ ଯୋଗୁଁ ହେଉଥିବା ହିଂସା, ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଦଳାଚକଟା କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଉତରପ୍ରଦେଶ ପୁଲିସ୍ ଡିଜି ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଉତରପ୍ରଦେଶରେ ଗତକାଲି ହିଂସାତ୍ମକ ଆନ୍ଦୋଳନ ପରେ ଆଜି ବିହାରରେ ନାଗରିକତା ନିଆଁ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିହାର ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ଜନତା ଦଳ । ବିହାରର ଦରଭଙ୍ଗା ଓ ବୈଶାଳୀରେ ରାସ୍ତାରୋକ କରିଛନ୍ତି ବିକ୍ଷୋଭକାରୀ । ବୈଶାଳୀରେ ଆରଜେଡି କର୍ମୀ ଅଭିନବ ଢଙ୍ଗରେ ସିଏଏକୁ ବିରୋଧ କରିଛନ୍ତି । ରାସ୍ତା ଉପରେ ବହୁ ମଇଁଷିଙ୍କୁ ଛିଡା କରାଇ ରାସ୍ତାଅବରୋଧ କରିଛନ୍ତି ଆରଜେଡି କର୍ମୀ । ମଇଁଷି ଶିଙ୍ଗରେ ସିଏଏ ବିରୋଧୀ ସ୍ଲୋଗାନ ଲେଖାଥିବା ପୋଷ୍ଟର ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଦରଭଙ୍ଗାରେ ଖୋଲା ଦେହରେ ରାସ୍ତାକୁ ଓହ୍ଲାଇଛନ୍ତି ଆରଜେଡି ସମର୍ଥକ । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମୋଦି ସରକାର ବିରୋଧରେ ନାରାବାଜି କରିଛନ୍ତି ।