ଦେଶର ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ହିଂସା । ନାଗରିକତା ଆଇନକୁ ବିରୋଧ କରି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିିଛି । କେତେକ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ପ୍ରତିବାଦକାରୀ । ଦିଲ୍ଲୀ ଠାରୁ ଆରମ୍ଭ କରି ମୁମ୍ବାଇ, ଲକ୍ଷ୍ନୌ ଓ ବେଙ୍ଗାଲୁରୁ ଯାଏଁ ପ୍ରତିବାଦକାରୀଙ୍କ ବିକ୍ଷୋଭ ଲାଗି ରହିଛି । ଲକ୍ଷ୍ନୌରେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଗୁରୁବାର ଉତ୍ତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳିମାଡ କରିଥିଲା । ଯେଉଁଥିରେ ୩ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଛି । ଲକ୍ଷ୍ନୌରେ ଜଣେ ଓ ମାଙ୍ଗାଲୁରୁରେ ୨ ଜଣଙ୍କ ଜୀବନ ଯାଇଛି । ଆଜି ପୁଣି ଥରେ ଦେଶର ବିଭିନ୍ନ ଯାଗାରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ହେବାର ସମ୍ଭାବନା ରହିଛି ।
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଅନେକ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଏଥିରେ ଅନେକ ନେତା ସାମିଲ ଥିବା ଜଣାପଡିଛି । ସେହିଭଳି ୩୦ଜଣ ପ୍ରତିବାଦକାରୀଙ୍କୁ ପୋଲିସ ଗିରଫ କରିଛି । ସମାଜବାଦୀ ପାର୍ଟି ସାଂସଦ ଶଫୀକୁର୍ରହମାନ ଓ ଜିଲ୍ଲା ଅଧ୍ୟକ୍ଷ ଫିରୋଜ ଖାନଙ୍କ ଉପରେ ମୋକଦ୍ଦମା ରୁଜୁ ହେବା ସହିତ ୧୭ ନାମୀଦାମୀ ଓ ୨୫୦ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜାମିଆ ଅଞ୍ଚଳରେ ଆଜି ପରିସ୍ଥିତି ଆୟତ୍ତରେ ଥିବାରୁ ୧୪୪ ଧାରାକୁ ଉଠାଇ ଦିଆଯାଇଛି । ଜୁମ୍ମା ମସଜିଦରେ ନମାଜ ପାଠକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ସେହିଭଳି ଦିଲ୍ଲୀରେ ସମସ୍ତ ମେଟ୍ରୋ ଷ୍ଟେସନକୁ ଖୋଲି ଦିଆଯାଇଛି । ୫ଟି ଡ୍ରୋନ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖିଛି ଦିଲ୍ଲୀ ପୋଲିସ । ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ୨୧ ଡିସେମ୍ବର ଯାଏଁ ବିହାର ବନ୍ଦର ଘୋଷଣା କରିଛନ୍ତି ।