ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହେଲା ସିଏଏ । ଗୃହମନ୍ତ୍ରୀ କହିଲେ, ସିଏଏ ଯୋଗାଇବ ନାଗରିକତା, ବିରୋଧୀ କରୁଛନ୍ତି ଅପପ୍ରଚାର । ସୋନିଆ କହିଲେ, ଦଳ ପାଇଁ ଏହା ବଡ଼ ପ୍ରସଙ୍ଗ ।

152

କନକ ବ୍ୟୁରୋ: ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହୋଇଛି ନାଗରିକ ସଂଶୋଧନ ଆଇନ-୨୦୧୯ । ସରକାର ଏଥିପାଇଁ ଜାରି କରିଛନ୍ତି ରାଜପତ୍ର । ଜାନୁଆରୀ ୧୦ତାରିଖ ଅର୍ଥାତ ଗତକାଲିଠାରୁ ଏହି ଆଇନ ସାରା ଦେଶରେ ଲାଗୁ ହୋଇଛି । ଏହାପରେ ପୁଣି ଥରେ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସିଏଏ ଲୋକଙ୍କୁ ନାଗରିକତା ଯୋଗାଇବ । ଏବଂ ସିଏଏକୁ ନେଇ ବିରୋଧୀ ମିଛ ପ୍ରଚାର କରୁଛନ୍ତି ।

ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସିଏଏ ତାଙ୍କ ଦଳ ପାଇଁ ବଡ ପ୍ରସଙ୍ଗ ବୋଲି କହିଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ଏହି ଆଇନ ପୂର୍ବୋତର ରାଜ୍ୟ ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁରର କେତେକ ଅଂଚଳରେ ଲାଗୁ ହେବ ନାହିଁ । କେନ୍ଦ୍ର ସରକାର ଏହି ଅଂଚଳରେ ଇନର ଲାଇନ ପରମିଟ୍ ଜାରି କରିଛନ୍ତି । ଏହି କାରଣରୁ ଏ ନିୟମ ଏସବୁ ଅଂଚଳରେ ଲାଗୁ ହେବ ନାହିଁ ।

ସବୁଠାରୁ ବଡ଼ କଥା ହେଲା, ଏହି ଆଇନ ବଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଆସି ଶରଣାର୍ଥୀ ଭାବେ ଭାରତରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ମିଳିବ । କେନ୍ଦ୍ର ସରକାର ଏହି ଆଇନ ଆଣିବା ପରେ ଦେଶବ୍ୟାପି ତୀବ୍ର ବିରୋଧ ଦେଖିବାକୁ ମିଳିଛି ।