ପୁଣି ଫେରିଲା ସିଏଏ ଚର୍ଚ୍ଚା : ବଢ଼ିଲା, ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବା ସମୟ ସୀମା

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଲେ, ନିୟମ ପ୍ରସ୍ତୁତି ପ୍ରକ୍ରିୟା ଜାରି; ଜୁଲାଇ ୯ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି ସମୟ ସୀମା

114

କନକ ବ୍ୟୁରୋ : ପୁଣି ଫେରିଲା ସିଏଏ ପ୍ରସଙ୍ଗ । ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବାର ସମୟ ସୀମାକୁ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ନିୟମ ପ୍ରସ୍ତୁତି ପ୍ରକ୍ରିୟା ଏବେ ବି ଜାରି ରହିଛି । ସେଥିପାଇଁ ଏହାର ସମୟ ସୀମାକୁ ଜୁଲାଇ ୯ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହେବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହାକୁ ଲାଗୁ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା ।

ଆଉ ଏହାକୁ ନେଇ ଦିଲ୍ଲୀରେ ବଡ଼ ଧରଣର ପ୍ରତିବାଦ ମଧ୍ୟ କରାଯାଇଥିଲା । ହେଲେ ଏସବୁ ଭିତରେ ଏହି ଆଇନର କେମିତି କାମ କରିବ ଏବଂ ନିୟମ କ’ଣ ସବୁ ରହିବ ସେ ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନଥିଲା । ତେବେ ଗତକାଲି ସଂସଦରେ ଗୃହରାଷ୍ଟ୍ରମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତରରେ କହିଛନ୍ତି, ୧୨ ଡିସେମ୍ବର ୨୦୧୯ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ୧୦ ଜାନୁୟାରୀ ୨୦୨୦ ଏହା ଲାଗୁ ହୋଇଥିଲା । ତେବେ ଏହି ଆଇନକୁ ନେଇ ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଲୋକସଭା ଏବଂ ରାଜ୍ୟସଭାର ଅଧିନସ୍ଥ ଆଇନ ସମିତି, ସିଏଏ’ର ନିୟମ ପ୍ରସ୍ତୁତି ପାଇଁ ଦିଆଯାଇଥିବା ସମୟ ସୀମାକୁ ଯଥାକ୍ରମେ ଏପ୍ରିଲ ୯ ଏବଂ ଜୁଲାଇ ୯ ତାରିଖକୁ ବଢ଼ାଇ ଦିଆଯାଇଛି ।

ନାଗରିକତା ସଂଶୋଧନ ଆଇନ ହେଉଛି ସେହି ଆଇନ୍ ଯାହା ଫଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ପ୍ରତାରିତ ହୋଇଥିବା ସଂଖ୍ୟାଲଘୁ ଯେମିତି କି ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାରସୀ ଏବଂ ଇସାୟୀ ସମୁଦାୟର ଲୋକଙ୍କୁ ଭାରତର ନାଗରିକତା ମିିଳିପାରିବ । ତେବେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଯଦି ସେମାନେ ଭାରତକୁ ଆସିଥିବେ । ଏହି ଆଇନ୍କୁ ନେଇ ଦେଶରେ ବଡ଼ଧରଣର ପ୍ରତିବାଦ ଦେଖାଦେଇଥିଲା । ଧର୍ମ ଆଧାରରେ ପାତରଅନ୍ତର କରାଯାଉଛି ବୋଲି ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।