କୋଭିଡ୍ କଟକଣା ନେଇ ୟୁକେକୁ ଭାରତର ପାଲଟା ଜବାବ । ୟୁକେରୁ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ ୧୦ ଦିନ ।

144

କନକ ବ୍ୟୁରୋ: ବ୍ରିଟେନ ସରକାରକୁ ପାଲଟା ଜବାବ ଦେଲା ଭାରତ । ବ୍ରିଟେନ ସରକାର ଭାରତୀୟ ଯାତ୍ରୀଙ୍କ ପାଇଁ ଲାଗୁ କରିଥିବା କୋଭିଡ୍ ଗାଇଡଲାଇନକୁ ଦେଖି ଭାରତ ମଧ୍ୟ ବ୍ରିଟେନ ଯାତ୍ରୀଙ୍କ ପାଇଁ ସେହିପରି ନିୟମ ଲାଗୁ କରିଛି । ବ୍ରିଟେନ ଯାତ୍ରୀଙ୍କ ପାଇଁ ଏଣିକି ଭାରତ ଆସିଲେ ମାନିବାକୁ ପଡିବ କଟକଣା । ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀ ଏଣିକି ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ନିୟମ ଲାଗୁ କଲେ ଭାରତ ସରକାର ।

ଯେସା କୁ ତେସା ପରି ଭାରତ ସରକାର ଶୁକ୍ରବାର ବ୍ରିଟେନ ପ୍ରତି ସମାନ କଟକଣା ଯୁକ୍ତ ନିୟମ ଜାରି କରିଛନ୍ତି । କିଛିଦିନ ତଳେ ବ୍ରିଟେନ ପକ୍ଷରୁ ଭାରତର ଟିକାକରଣକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ତେବେ ପ୍ରଥମେ କୋଭିସିଲଡକୁ ଅନୁମତି ଦେଇନଥିଲେ ମଧ୍ୟ ଭାରତର କଡା ଆଭିମୂଖ୍ୟ ପରେ ବ୍ରିଟେନ ସରକାରଙ୍କ ପକ୍ଷରୁ କୋଭିସିଲଡକୁ ଅନୁମତି ମିଳିଥିଲା । କିନ୍ତୁ ପୂର୍ବପରି ଭାରତୀୟ ଯାତ୍ରୀଙ୍କ ପାଇଁ ୨ ଡୋଜ ଟିକା ନେଇସାରିଥିଲେ ମଧ୍ୟ ୧୦ ଦିନ ସଂଗରୋଧରେ ରହିବାକୁ ବାଧ୍ୟତାମୂଳକ କରିଥିଲା ବ୍ରିଟେନ୍ । ତେବେ ଭାରତ ଏବେ ସମାନ ନୀତି ବ୍ରିଟେନ ପାଇଁ ଆପଣାଇଛି । ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରାର ୭୨ ଘଣ୍ଟା ପୂବରୁ ଆରଟିପିସିଆର ନେଗେଟିଭ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛନ୍ତି । ଖାଲି ସେତିକି ନୁହେଁ ଆସିବାର ଅଷ୍ଟମ ଦିନରେ ମଧ୍ୟ ପୁଣିଥରେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ । ତେବେ ଅକ୍ଟୋମ୍ବର ୪ ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ।