ଭାରତକୁ ମିଳିଲା ଚତୁର୍ଥ କରୋନା ନିରୋଧି ଟିକା, ‘ମଡର୍ଣ୍ଣା’କୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ

658

କନକ ବ୍ୟୁରୋ : ଦେଶବାସୀଙ୍କ ପାଇଁ ପୁଣି ଏକ ଖୁସିଖବର ଆସିଛି । କରୋନା ନିରୋଧି ଟିକା ଭାବେ ମଡର୍ଣ୍ଣାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଙ୍ଗଳବାର ଦିନ ସରକାର ଏନେଇ ଘୋଷଣା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ବିକଶିତ ପ୍ରଥମ ଭ୍ୟାକ୍ସିନ ମଡର୍ଣ୍ଣାକୁ ‘ନ୍ୟୁ ଡ୍ରଗ ପରମିଶନ’ ମିଳିଛି । ଏହାକୁ ମିଶାଇ ଭାରତରେ ୪ ଟି ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ୍-ଭି ଓ ମଡର୍ଣ୍ଣା ସାମିଲ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ଅଧ୍ୟକ୍ଷ ବି.କେ ପଲ ।

ଅନ୍ୟପଟେ ବି.କେ ପଲ କହିଛନ୍ତି କି ଏହି ୪ ଟି ଟିକା ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ମୁମ୍ବାଇ ସ୍ଥିତ ସିପ୍ଲା ଫାର୍ମା କମ୍ପାନୀ ଏହି ମଡର୍ଣ୍ଣା ଟିକାର ଆମଦାନୀ ଓ ମାକେଟିଂ କରିବ ବୋଲି ଜଣାପଡିଛି । କହିରଖୁ କି ଜୁନ ପହିଲାରେ ଡିସିଜିଆଇ ଏହି ବିଦେଶୀ ଟିକା ପାଇଁ ମଞ୍ଜୁରୀ ନିୟମରେ କୋହଳ କରିଥିଲା । ଡିସିଜିଆଇ କହିଥିଲା କି ଯଦି କୌଣସି ଟିକାକୁ ଆମେରିକା, ୟୁରୋପ, ୟୁକେ, ଜାପାନ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମଞ୍ଜୁରୀ ମିଳିଛି ତେବେ ସେହି ଟିକା କମ୍ପାନୀକୁ ଭାରତରେ ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ ।

ଏହାକୁ ନଜର କଲେ ମଡର୍ଣ୍ଣା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମରୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ମଡର୍ଣ୍ଣା ଟିକା କରୋନା ବିରୋଧରେ ୯୪ ପ୍ରତିଶତ ପ୍ରଭାବଶାଳୀ । ଅନ୍ୟପଟେ ଫାଇଜର ଟିକାକୁ ବି ଖୁବଶୀଘ୍ର ଅନୁମତି ମିଳିପାରେ ବୋଲି ଆଶା କରାଯାଇଛି । କିଛିଦିନ ପୂର୍ବରୁ ଫାଇଜର ସିଇଓ ଅଲବର୍ଟ ବୈର୍ଲା କହିଥିଲେ କି ଭାରତରେ ଫାଇଜର ଭ୍ୟାକ୍ସିନ ପାଇଁ ମଗାଯାଇଥିବା ମଞ୍ଜୁରୀ ଏବେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ।