ସବୁ ପ୍ରେକ୍ଷାଳୟରୁ ଉଠିବ ପରଦା : ମଞ୍ଚକୁ ଫେରିବେ କଳାକାର; ଜମିବ ଆସର
ଏଣିକି ରାଜଧାନୀର ସବୁ ମଣ୍ଡପର ଅନ୍ଲାଇନ୍ ବୁକିଂ, ଆଜି ଖୋଲିବ ଆଇନକ୍ସ ମଲ୍ଟିପ୍ଲେକ୍ସ
କନକ ବ୍ୟୁରୋ : ମଞ୍ଚରୁ ପୁଣି ଗୁଞ୍ଜରିତ ହେବ ନୂପୁରର ରୁଣୁଝୁଣୁ ଶବ୍ଦ। ନାଟକର ଦମ୍ଦାର୍ ସଂଳାପ ଶୁଭିବ। ଶାସ୍ତ୍ରୀୟ ସଙ୍ଗୀତର ସୁମଧୁର ସ୍ବର ମନ ମୋହିବ। କଳାକାର ପୁଣି ମଞ୍ଚ ଫେରି ପାଇବେ। ପରଦା ପଛର ନାୟକମାନେ ରୋଜଗାର ପାଇ ମୁଖ୍ୟସ୍ରୋତକୁ ଫେରିବେ। ୯ ମାସ ଧରି ଶୂନଶାନ୍ ପ୍ରେକ୍ଷାଳୟ ପୁଣି ଦର୍ଶକ ଓ ଶ୍ରୋତାଙ୍କ ଭିଡ଼ରେ କୋଳାହଳମୟ ହେବ। କାରଣ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ସହରର ସମସ୍ତ ପ୍ରେକ୍ଷାଳୟ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ପ୍ରେକ୍ଷାଳୟଗୁଡ଼ିକର ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଗଲାଣି। ବିଭାଗ ଅଧୀନରେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ଏବେ ପୁଣି ସଂଧ୍ୟାରେ ସାଂସ୍କୃତିକ ଆସର ଜମିବ। ସାହିତ୍ୟ ଆଳାପ ହେବ ଆଉ ସଭା ସମିତି ଆୟୋଜନ ହୋଇ ବନ୍ଧୁମିଳନ ହୋଇପାରିବ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ସିନେପ୍ରେମୀଙ୍କ ପାଇଁ ମଧ୍ୟ ଖୁସି ଖବର । ୯ ମାସ ଧରି ସିନେମା ହଲ୍ରେ ତାଲା ଝୁଲିବା ପରେ ପାତ୍ରପଡ଼ାସ୍ଥିତ ଡିଏନ୍ ରେଗାଲିଆ ମଲ୍ ଓ ପାହାଳସ୍ଥିତ ସିମ୍ଫୋନି ମଲ୍ର ଆଇନକ୍ସ ଖୋଲିବ। ଏଥିସହ ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଭବାନୀ ମଲ୍ ଓ କଟକ ଏସ୍ଜିବିଏଲ୍ ସ୍କୋୟାର ମଲ୍ର ଆଇନକ୍ସ ଖୋଲିବ। ତେବେ ସିନେମା ହଲ୍ ଖୋଲିବା ନେଇ ଏସ୍ଆର୍ସି ଜାରି କରିଥିବା ସମସ୍ତ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରାଯିବ ବୋଲି ଆଇନକ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ରାଜ୍ୟରେ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ଆଦି ମଣ୍ଡପକୁ ପ୍ରସ୍ତୁତ କରାଯାଇଛି। ବର୍ଷକୁ ପ୍ରାୟ ପ୍ରତି ଦିନ ମଣ୍ଡପଗୁଡ଼ିକର ବୁକିଂ ରହୁଥିବା ବେଳେ ଏହାକୁ ଅଧିକ ସ୍ବଚ୍ଛ ଓ ଡିଜିଟାଇଜେସନ୍ କରିବା ପାଇଁ ବିଭାଗ ପକ୍ଷରୁ ମଣ୍ଡପଗୁଡ଼ିକର ଅନ୍ଲାଇନ୍ ବୁକିଂ ଯୋଜନା ପ୍ରସ୍ତୁତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ମଣ୍ଡପଗୁଡ଼ିକର ଅନ୍ଲାଇନ୍ ସଂରକ୍ଷଣ ନିମନ୍ତେ ୨୦୧୯ ଅକ୍ଟୋବରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସହ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଅନ୍ଲାଇନ୍ ବୁକିଂ ହେବା ଫଳରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମାର୍ଗଦର୍ଶିକା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିବ। ସଂସ୍କୃତି ବିଭାଗ ବୈଷୟିକ ଉପଯୋଗ ଉପରେ ଗୁରୁତ୍ବ ଦେଉଥିବାରୁ ବିଭାଗ ଅଧୀନ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ ବୋଲି ଏହାର ମୂଳ ଉଦ୍ଦେଶ୍ୟ ଥିଲା। ସବୁ ସ୍ଥିର ହେବା ପରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ଜୋର୍ସୋର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। କିନ୍ତୁ କରୋନା ମହାମାରୀ ଓ ତତ୍ଜନିତ କଟକଣା ଯୋଗୁଁ ମଣ୍ଡପଗୁଡ଼ିକର ବୁକିଂ ବନ୍ଦ ହୋଇଗଲା ।
ଏବେ କଟକଣା କୋହଳ ହେବା ସହ ମଣ୍ଡପଗୁଡ଼ିକ ଖୋଲିବା ନେଇ ଆଶା ସୃଷ୍ଟି ହୋଇଯାଇଛି। ଏଣୁ ଏସବୁ ମଣ୍ଡପର ବୁକିଂ ଆରମ୍ଭ ହୋଇଯାଇଛି। କିନ୍ତୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆର୍ସି)ଙ୍କ ଗାଇଡ୍ଲାଇନ୍କୁ ଆଧାର କରି ସଂସ୍କୃତି ବିଭାଗ ଖୁବ୍ ଶୀଘ୍ର ଏନେଇ ସାନି ଏସ୍ଓପି ଜାରି କରିବ। କିନ୍ତୁ ଏସ୍ଆର୍ସିଙ୍କ କଡ଼ା ନିର୍ଦ୍ଦେଶ ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ଏଥିସହ ରବୀନ୍ଦ୍ର ମଣ୍ଡପରେ ୮୦୦ ସିଟ୍ ରହିଥିଲେ ବି ଗାଇଡ୍ଲାଇନ୍ ଅନୁଯାୟୀ ଏଠାରେ ସର୍ବାଧିକ ୨୦୦ ଲୋକ ହିଁ ଏକାଠି ହୋଇପାରିବେ। ପୁଣି ନିୟମ ଅନୁଯାୟୀ ଗୋଟିଏ ସିଟ୍ ଛାଡ଼ି ପରବର୍ତୀ ସିଟ୍ରେ ବସିବାର ବ୍ୟବସ୍ଥା କରାଯିବ। ଅନ୍ତତଃ ପକ୍ଷେ ଜାନୁଆରିରେ ଏହି କଟକଣା ଜାରି ରହିବ। ଫେବ୍ରୁଆରି ପାଇଁ ନୂଆ ଏସ୍ଓପି ଜାରି ହେଲେ ତଦନୁଯାୟୀ କଟକଣାରେ ପରିବର୍ତ୍ତନ କରାଯିବ।
କେମିତି କରିବେ ବୁକିଂ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ବୁକ୍ କରିବାକୁ ହେଲେ https://edistrict.odisha.gov.in ପୋର୍ଟାଲ ଖୋଲିବାକୁ ହେବ। ଏହାପରେ ଖୋଲିଥିବା ପୃଷ୍ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଯାଇ ଏହାକୁ କ୍ଲିକ୍ କରିବେ। କ୍ଲିକ୍ କଲେ ତଳେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ଆଦି ୩ ଟି ଅପ୍ସନ୍ ଆସିବ। ଏଥିରେ ନିଜ ପସନ୍ଦ ମୁତାବକ ମଣ୍ଡପରେ କ୍ଲିକ୍ କରି ନିଜ ଫୋନ୍ ନମ୍ବର ଓ ମେଲ୍ ଆଇଡି ଦ୍ବାରା ନିଜ ନାମ କିମ୍ବା ଅନୁଷ୍ଠାନ ନାମ ପଞ୍ଜୀକରଣ କରିପାରିବେ। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଭଡ଼ା ଅପରିବର୍ତ୍ତିତ ରହିଛି।
ନାଟକ ସହ ୨୦ରୁ ଖୋଲିବ ରବୀନ୍ଦ୍ର ମଣ୍ଡପ
ଦୀର୍ଘ ସାଢ଼େ ୯ ମାସ ପରେ ରବୀନ୍ଦ୍ର ମଣ୍ଡପରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗତମାସରେ ୨ଟି ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ଏଯାଏ ଘରୋଇ ସଂସ୍ଥାକୁ ଅନୁମତି ମିଳିନଥିଲା। ତେବେ ଏବେ ଅନ୍ଲାଇନ୍ ବୁକିଂ ଆରମ୍ଭ ହେବା ପରେ ୨୦ ତାରିଖରେ ରାଜ୍ୟର ଅନ୍ୟତମ ନାଟ୍ୟ ସଂସ୍ଥା ‘ଅଭିନୟ ଜାଗୃତି ନାଟ୍ୟାନୁଷ୍ଠାନ (ଅଜିତ୍)’ ପକ୍ଷରୁ ନାଟକ ସଂଧ୍ୟା ଅନୁଷ୍ଠିତ ହେବ। ପ୍ରଥମେ ଅଜିତ୍ ନାଟ୍ୟାନୁଷ୍ଠାନ ପକ୍ଷରୁ ବୁକିଂ କରାଯାଇଥିଲେ ବି ସେମାନଙ୍କର ବୁକିଂ ତାରିଖ ୨୦ ଜାନୁଆରିକୁ ରହିଛି। ଯଦି ଏହା ପୂର୍ବରୁ କେହି କାର୍ଯ୍ୟକ୍ରମ କରିବାକୁ ଚାହିବେ ତେବେ କରିପାରିବେ ବୋଲି ରବୀନ୍ଦ୍ରମଣ୍ଡପର ତତ୍ତ୍ବାବଧାରକ ପ୍ରମୋଦ ବିଶ୍ବାଳ କହିଛନ୍ତି।
୧୫ ପରେ ଖୋଲିବ ଜୟଦେବ ଭବନ
ଅନ୍ୟପଟେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନ ବି ଆସନ୍ତା ୧୫ ତାରିଖ ପରଠାରୁ ଖୋଲିବ ବୋଲି ଜୟଦେବ ଭବନର ମ୍ୟାନେଜର ଭବାନୀ ଶଙ୍କର ଭୂୟାଁ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ବିଭାଗ ପକ୍ଷରୁ ଏକ ଜୟନ୍ତୀ ସମାରୋହ ସହ ଜୟଦେବ ଭବନ ଖୋଲିବକୁ ଯୋଜନା ହେଉଛି। ଏହାପରେ ୧୫ ତାରିଖ ପରଠାରୁ ବିଭିନ୍ନ ଘରୋଇ ଅନୁଷ୍ଠାନର କାର୍ଯ୍ୟକ୍ରମ ପାଇଁ ବୁକିଂ ଆରମ୍ଭ ହୋଇଯିବ। ଜୟଦେବ ଭବନର ଚିରାଫଟା ସିଟ୍କୁ ନେଇ ଅନେକ ସମୟରେ ଅଭିଯୋଗ ଆସୁଥିବା ବେଳେ ପୂରା ଜୟଦେବ ଭବନର ନବୀକରଣ କରାଯାଇଛି। ସିଟ୍ଠାରୁ ଆରମ୍ଭ କରି ମଞ୍ଚ, ଅତିଥି ପ୍ରକୋଷ୍ଠ ଆଦିକୁ କରୋନା ସମୟରେ ନବୀକରଣ କରାଯାଇଛି। ଆଗ ଭଳି ଭଡ଼ା ଅପରିବର୍ତ୍ତିତ ରହିବ। ଗୀତଗୋବିନ୍ଦ ସଦନ ବି ସେହିଭଳି ହେବ। ସୂଚନାଯୋଗ୍ୟ, ଗୀତଗୋବିନ୍ଦ ସଦନରେ କରୋନା ସମୟରେ ଅନେକ ସରକାରୀ ସାମ୍ବାଦିକ ସମ୍ମିଳନୀ ଚାଲୁ ରହିଥିଲା। ଖୁବ୍ ଶୀଘ୍ର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହା ଅଧୀନସ୍ଥ ଦୁଇ ମଣ୍ଡପ ଖୋଲିବା ନେଇ ଏସ୍ଓପି ଜାରି ହେବ।