କନକ ବ୍ୟୁରୋ: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ପରେ ଏହାକୁ ନେଇ ଆପତି ଉଠାଇଛି ଚୀନ । ଅରୁଣାଚଳ ପ୍ରଦେଶକୁ ନିଜର ଅଂଚଳ ବୋଲି ଦାବି କରଛି ଚୀନ । ଏହା ଚୀନର ଜାଙ୍ଗନାନ ବୋଲି କହିଛି । ଏହା ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ବେଜିଂ କହିଛି । ଉପରାଷ୍ଟ୍ରପତି ଅକ୍ଟୋବର ୯ ତାରିଖରେ ଅରୁଣାଚଳପ୍ରଦେଶ ଗସ୍ତ କରିଥିଲେ ।
ଏହି ସମୟରେ ସେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ । ଯାହାକୁ ବିରୋଧ କରିଛି ଚୀନ । ଏହାକୁ ନେଇ ଭାରତ ବୈଦେଶିକ ମନ୍ତ୍ରାଳୟ କିଛି ଘଂଟା ଭିତରେ ଜବାବ ଦେଇଛି । ଭାରତ କହିଛି ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଂଶ । ଭାରତୀୟ ମନ୍ତ୍ରୀ, ନେତା ଯେତେବେଳେ ଚାହିଁଲେ ଅରୁଣାଚଳ ପ୍ରଦେଶ ଗସ୍ତ କରି ପାରିବେ । ଏଥିରେ ଚୀନର ଯାଏ ଆସେ କିଛି ନାହିଁ ।
କିଛିଦିନ ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ତିବ୍ଦତ ଗସ୍ତ କରିଥିଲେ । କେବଳ ସେତିକି ନୁହେଁ ଭାରତୀୟ ସୀମା ଠାରୁ ମାତ୍ର ୧୫ କିଲୋମିଟର ଦୁରରେ ଥିବା ପିଏଲଏର ବେସ୍ କ୍ୟାମ୍ପରେ ରାତି କଟାଇଥିଲେ ରାଷ୍ଟ୍ରପତି ଜିଙ୍ଗପିଙ୍ଗ । ଜିଙ୍ଗପିଙ୍ଗଙ୍କ ଏହି ଗସ୍ତ ସୀମାରେ ଯୁଦ୍ଧ ପରିସ୍ଥିତିକୁ ଆହୁରି ଉଦ୍ବେଗ କରିଥିଲା ।
ହେଲେ ଏହାକୁ ନେଇ ଭାରତ କୌଣସି ପ୍ରତିକ୍ରିୟା ଦେଖାଇଥିଲା । କିନ୍ତୁ ଚୀନ୍ କାହିଁକି ଉପ-ରାଷ୍ଟ୍ରପତିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଚୀନ ବୈଦେଶିକ ମନ୍ତ୍ରାଳୟର ଏପରି ଦାବିକୁ ଭାରତ ଖାରଜ କରିଛି । ଚୀନ ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିଲୋମିଟର କ୍ଷେତ୍ରକୁ ନିଜର ବୋଲି ଦାବି କରୁଛି । ତେବେ ଚୀନ ଅଯଥା ଯୁକ୍ତି ନରଖିବା ଦରକାର ବୋଲି ଭାରତ ରୋକଠୋକ୍ ଶୁଣାଇ ଦେଇଛି ।