ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ବୋମାମାଡ ଘଟଣା । ସିଆଇଡି ହାତକୁ ଗଲା ତଦନ୍ତ ଦାୟିତ୍ୱ । ମେଡିକାଲରେ ଜାକିରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

106

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଜାକିର ହୁସେନଙ୍କ ଉପରେ କିଛି ଅଜଣା ଦୃର୍ବୁତ୍ତ ଗତକାଲି ସଂନ୍ଧ୍ୟାରେ ମୁଶିଦାବାଦର ଏକ ରେଳ ଷ୍ଟେସନ ନିକଟରେ ବୋମାମାଡ କରିଥିଲେ । ଏହି ବୋମାମାଡରେ ଜାକିର ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ମାମଲାର ଯାଂଚ ଏବେ ସିଆଇଡି ହାତକୁ ଯାଇଛି । ଗୁରୁବାର ସାକଳେ ସିଆଇଡିର ଏକ ଟିମ୍ ମୁଶିଦାବଦରେ ପହଂଚିଛନ୍ତି । ଯେଉଁ ସ୍ଥାନରେ ମନ୍ତ୍ରୀଙ୍କ ଉପରେ ବୋମା ମାଡ ହୋଇଥିଲା ସେଠାକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ସିଆଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣା ସ୍ଥଳକୁ କିଭଳି ପେଟ୍ରୋଲ ବୋମା ଆସିଲା ତାହା ଉପରେ ଅଧିକ ଖୋଳତାଡ କରୁଛି ।

ଗତକାଲି ମୁଶିଦାବାଦରେ ହୋଇଥିବା ଏହି ବୋମାମାଡରେ ମୋଟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ କୋଲକତା ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀ ଜାକିର ହୁସେନଙ୍କୁ କୋଲକତାର ଏସଏସକେଏମ୍ ମେଡିକାଲରେ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ କହିବା ମୁତାବକ ଜାକିରଙ୍କ ପାଦରେ ସବୁଠାରୁ ଅଧିକ ଆଘାତ ଲାଗିଛି । ଆଜି ତାଙ୍କର ଅପରେଶନ କରାଯିବାକୁ ଥିବା ବେଳେ ମେଡିକାଲରେ ଜାକିରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ।

କହିରଖୁ କି କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା ବି ଜୋର ଧରିବାରେ ଲାଗିଛି । ଦୈନିକ ବିଜେପି ଓ ଟିଏମସି ଦଳର ନେତା ମାନଙ୍କ ଭିତରେ କେଉଁଠି ନା କେଉଁଠି ହିଂସା ଦେଖିବାକୁ ମିଳିଛି । ଗତକାଲିର ହିଂସାକୁ ନେଇ ବିଜେପି ମମତା ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି କି ଯେଉଁ ରାଜ୍ୟରେ ଜଣେ ମନ୍ତ୍ରୀଙ୍କ ଉପରକୁ ବୋମା ମାଡ କରାଯାଇ ପାରୁଛି ସେହି ରାଜ୍ୟର ସାଧାରଣ ଲୋକ କେତେ ସୁରକ୍ଷିତ ତାହା ଏହି ଘଟଣାରୁ ଜଣାପଡୁଛି । ଅନ୍ୟପଟେ ଏହି ହିଂସା ପଛରେ ବିଜେପିର ହାତ ଥିବା ଅଭିଯୋଗ କରି ମୁଶିଦାବାଦ ରାଜମାର୍ଗ ୩୪ ରେ ଆଜି ତୃଣମୂଳ କଂଗ୍ରେସର ନେତା ଓ କର୍ମୀ ମାନେ ହଡତାଳ କରିଛନ୍ତି ।